fbpx

ସଂସଦରେ ସୁରକ୍ଷା ଭଙ୍ଗ ଘଟଣା: ସମସ୍ତଙ୍କ ମୋବାଇଲ ନେଇ ମୁଖ୍ୟ ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାକୁ ଗୁରୁତର ସହ ନେଇଛନ୍ତି ଭାରତ ସରକାର। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ଯାହାଙ୍କୁ ନେଇ ଅଧିକ ଖୋଳତାଡ଼ କରାଯାଉଛି। ହେଲେ ଅନ୍ୟପଟେ ଘଟଣାର ମାଷ୍ଟର ମାଇଣ୍ଡ ଲଳିତ ଝା ଏବେ ବି ଫେରାର ରହିଛି। ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ପୋଲିସକୁ ଅନେକ କିଛି ତଥ୍ୟ ମିଳିସାରିଛି। ଏହା ସହ ସମସ୍ତ ଅଭିଯୁକ୍ତଙ୍କୁ ପଚାର ଉଚରା ଜାରି ରଖାଯାଇଛି।

ପୋଲିସଙ୍କୁ କେଉଁ ସବୁ ତଥ୍ୟ ମିଳିଛି?

ମିଳିଥିବା ସୂଚନା ଅନୁସାରେ, ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେମାନେ ନିୟମ ଉଲ୍ଲଂଘନ କରି ଗୃହକୁ ପ୍ରବେଶ କରିଥିଲେ। ବେକାରୀ, କୃଷକ ସମସ୍ୟା ଏବଂ ମଣିପୁର ହିଂସା ଭଳି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସବୁ ପ୍ରସଙ୍ଗରେ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଗୃହରେ ସାଧାରଣ କଲର ଗ୍ୟାସ ସ୍ପ୍ରେ କରିଥିବା ସେମାନେ କହିଛନ୍ତି। ଅଭିଯୁକ୍ତମାନେ ଆହୁରି କହିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବା ସହ ତାଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି। ପୁଲିସ କିନ୍ତୁ ଏମାନଙ୍କ ଉତ୍ତରରେ ସନ୍ତୁଷ୍ଟ ନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେମାନଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରିବାକୁ ଚାହୁଁଛି ପୁଲିସ। କିନ୍ତୁ ସବୁଠାରୁ ବଡ଼ କଥା ଏହା ଯେ, ଗିରଫ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଜଣଙ୍କ ପାଖରେ ରହିଛି। ଜଣଙ୍କ ପାଖରେ ସମସ୍ତଙ୍କ ଫୋନ୍ ଥିବାକୁ ନେଇ ମଧ୍ୟ ସନ୍ଦେହ କରୁଛି ପୁଲିସ। ସମସ୍ତଙ୍କ ଫୋନ୍ ଫେରାର୍ ମୁଖ୍ୟ ଅଭିଯୁକ୍ତ ଲଳିତ ପାଖରେ ରହିଛି। ପ୍ରମାଣ ନଷ୍ଟ କରିବା ପାଇଁ ଲଳିତ ସମସ୍ତଙ୍କ ଫୋନ୍ ନେଇ ଫେରାର୍ ହୋଇଯାଇଥିବା ସନ୍ଦେହ କରୁଛି ପୁଲିସ।

  •  ଅଭିଯୁକ୍ତମାନେ ପରସ୍ପରକୁ ପ୍ରାୟ ଦେଢ଼ ବର୍ଷ ହେଲା ଜାଣିଥିଲେ। ସେମାନେ ନିକଟରେ ପରସ୍ପରକୁ ମହୀଶୂରରେ ପ୍ରଥମଥର ଭେଟିଥିଲେ। ଡିସେମ୍ବର ୧୦ରେ ଏମାନେ ଦିଲ୍ଲୀରେ ଏକାଠି ହୋଇଥିଲେ। ସମସ୍ତ ଅଭିଯୁକ୍ତ ଭିନ୍ନଭିନ୍ନ ଦିନରେ ଦିଲ୍ଲୀ ପହଞ୍ଚିଥିଲେ। ଗୁରୁଗ୍ରାମରେ ଥିବା ଲଳିତ ଝାଙ୍କ ଘରେ ସେମାନେ କେମିତି ବିକ୍ଷୋଭ କରିବେ, ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
  • ସାଗର ଶର୍ମାଙ୍କୁ ବିଜେପିର ମହୀଶୂର ସାଂଦଦ ପ୍ରତାପ ସିହ୍ମା ସଂସଦରେ ପ୍ରବେଶ ପାଇଁ ପାସ୍‌ ଯୋଗାଇ ଦେଇଥିଲେ। ବୁଧବାର ସାଗର ପାସ୍‌ ସଂଗ୍ରହ କରିବା ପରେ ମନୋରଞ୍ଜନଙ୍କୁ ଧରି ସଂସଦ ଭିତରକୁ ଯାଇଥିଲେ। ଲୋକସଭାରେ ପ୍ରବେଶ କରିଥିବା ମନୋରଞ୍ଜନ ଡି’ଙ୍କ ବୟସ ୩୪ ବର୍ଷ। ମହୀଶୂରରୂ ସେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି। ୨୭ ବର୍ଷୀୟ ସାଗର ଶର୍ମା ଲକ୍ଷ୍ନୌର ଜଣେ ଇ-କ୍ସା ଡ୍ରାଇଭର। ମନୋରଞ୍ଜନଙ୍କ ସହ ମିଶି ସେ ହଳଦିଆ ସ୍ପ୍ରେ ମାଡ଼ କରିଥିଲେ।
  • ସମସ୍ତେ ମିଳିତ ଭାବେ ଯୋଜନା କରିଥିଲେ ଯେ ୨ ଜଣ ସଂସଦ ବିଲଡିଂ ଭିତରକୁ ଯିବେ ଓ ଅନ୍ୟମାନେ ସଂସଦ ବାହାରେ ବିକ୍ଷୋଭ କରିବେ। ସେହି ଅନୁସାରେ ଲଳିତ ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ। ଯୋଜନା ପ୍ରସ୍ତୁତ କରି ୨ ‌ଅଭିଯୁକ୍ତ ସଂସଦର ସୁରକ୍ଷାବଳୟ ଭେଦ କରି ସିଧା ଲୋକସଭା କକ୍ଷରେ ଡିଆଁ ମାରିଥିଲେ।
  • ସଂସଦ ବାହାରେ ହଳଦିଆ ଧୂଆଁ ମାଡ଼ କରିଥିବା ୩୭ ବର୍ଷୀୟ ନୀଲମ ବର୍ମା ଆଜାଦଙ୍କ ଘର ହରିୟାଣାର ହିର୍ସା ଠାରେ। ସେହିପରି ଅନ୍ୟ ଯୁବକ ଜଣଙ୍କ ହେଲେ ୨୫ ବର୍ଷୀୟ ଅମୋଲ ସିନ୍ଦେ। ତାଙ୍କ ଘର ମହାରାଷ୍ଟ୍ରର ଲାଠୁର ଠାରେ। ସେ ସେନାରେ ଭର୍ତ୍ତି ହେବାକୁ ଅଭ୍ୟାସ କରୁଛନ୍ତି।
  • ଏହି ୪ ଜଣଙ୍କ ବ୍ୟତୀତ ପୁଲିସ୍‌ ଗୁରୁଗ୍ରାମରୁ ବିକ୍ରମ ଓରଫ ଭିକ୍କିକୁ ଧରିଛି। କିନ୍ତୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଏବେ ବି ଫେରାର ଅଛନ୍ତି। ତାଙ୍କ ଘର ବିହାରରେ। ସେ ହିଁ ଅନୁପ୍ରବେଶ କେମିତି କରାଯିବ, ତା’ର ନକ୍ସା ପ୍ରସ୍ତୁତ କରିଥିଲେ। ତାଙ୍କୁ ଧରିବା ପାଇଁ ପୁଲିସ୍‌ ଗୁରୁଗ୍ରାମ ସ୍ଥିତ ଘରେ ରେଡ କରିଥିଲା। ହେଲେ ସେ ଫେରାରର ହୋଇଯାଇଛନ୍ତି।
  •  କଲ ଡିଟେଲ୍ସ ଓ ପ୍ରାଥମିକ ଜେରାରରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ପ୍ରାୟ ଗୋଟିଏ ବର୍ଷ ହେଲା ପରସ୍ପରର ଯୋଗାଯୋଗରେ ଥିଲେ। ମାସକ ତଳେ ସେମାନେ ମହୀଶୂରରେ ଭେଟ କରିଥିଲେ। ସୁରକ୍ଷା ଯାଞ୍ଚ ବେଳେ ପାସ୍‌ଧାରୀଙ୍କୁ ପୁଲିସ୍‌ ଜୋତା ଖୋଲିବାକୁ କୁହେ ନାହିଁ ବୋଲି ସେମାନେ ଭଲ ଭାବେ ଜାଣିଥିଲେ। ଏଥିପାଇଁ ଗ୍ୟାସ୍‌ କାନିଷ୍ଟର୍ସକୁ ସାଗର ଓ ମନୋରଞ୍ଜ ଜୋତା ଭିତରେ ଲୁରାଇ ରଖି ସଂସଦର ଦର୍ଶକ ଗ୍ୟାଲେରୀରେ ପହଞ୍ଚି ଯାଇଥିଲେ।
  • ଫେସବୁକ ଗ୍ରୁପ ଭଗତ ସିଂହ ଫ୍ୟାନ କ୍ଲବରେ ଅଭିଯୁକ୍ତମାନେ ସଦସ୍ୟ ରହିଛନ୍ତି। ଲଳିତ ଝା ହିଁ ଏମାନଙ୍କୁ ଏକାଠି କରିଥିଲେ। ବର୍ତ୍ତମାନ ଫେରାର ଥିବା ଲଳିତ ସଂସଦ ବାହାରେ ନୀଲମ ସ୍ମୋକ କାନିଷ୍ଟର୍ସ ମାଡ଼ କରିବା ବେଳର ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ଗତକାଲି ପୋଷ୍ଟ କରିଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାରତ କ’ଣ ଚାହେଁ, ଗୋଟିଏ ବୋମା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।
  • ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୋଲିସ ସେମାନଙ୍କୁ ୭ ଦିନିଆ ହେପାଜତକୁ ନେଇଛି।

Get real time updates directly on you device, subscribe now.