ମୁଁ କ’ଣ ସିସିଟିଭିରେ ଡ୍ରେସ୍ ଚେଞ୍ଜ କରିବି, ଭିଡିଓ ଭାଇରାଲ୍ ହେଲେ କିଏ ବୁଝିବ: ଏନେଇ ତପସ୍ୱିନୀ କ’ଣ କହୁଛନ୍ତି ଦେଖନ୍ତୁ VIDEO
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ ମାମଲାରେ ଦିନକୁ ଦିନ ନୂଆ ନୂଆ କାହାଣୀର ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି । ଗତ ୨୦ ତାରିଖରେ କିଛି ମହିଳା ତପସ୍ୱିନୀଙ୍କୁ ନ୍ୟାୟ ଦାବିରେ ଶ୍ୱଶୁର ଘର ମେନ ଗେଟ୍ ଭାଙ୍ଗି ଭିତରକୁ ପସିଥିଲେ । ଏହାପରେ ଉକ୍ତ ଅଞ୍ଚଳରେ ପୋଲିସ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଥିଲା । ସୁମିତଙ୍କ ବାପା ପୋଲିସରେ ଏନେଇ ଅଭିଯୋଗ କରିବା ସହ ତାଙ୍କ ଜେଜେ ମାଆ ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଗୁହାରି କରିଥିଲେ । ତେବେ ଗତକାଲି ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ କି ତପସ୍ୱିନୀ ସିସିଟିଭିକୁ ଘୋଡ଼ାଉଥିବା ଦେଖାଯାଇଥିଲା ।
ଏହାର ପ୍ରତିକ୍ରିୟାରେ ତପସ୍ୱିନୀ କହିଛନ୍ତି ଯେ, ପ୍ରତ୍ୟେକ ଝିଅର କିଛି ପ୍ରାଇଭେସି ଥାଏ । ମୁଁ ସିସିଟିଭିକୁ ଭାଙ୍ଗି ତ ଦେଇନାହିଁ, କେବଳ ଘୋଡ଼ାଇ ଦେଇଛି ନିଜର ଗୋପନୀୟତା ପାଇଁ । ଘର ସାମ୍ନାରେ ତ ଗୋଟିଏ ସିସିଟିଭି ଲାଗିଛି, ସେଇଟାକୁ ତ ମୁଁ କିଛି କରୁନାହିଁ । ବାହାରେ ବସିଥିବା ବେଳେ ବହୁତ କଷ୍ଟରେ ଚଳିବାକୁ ପଡ଼ୁଥିଲା । ଏବେ ଘର ଭିତରେ ଏକ ରୁମରେ ମୁଁ ରହୁଥିବାରୁ ସେଠାରେ ଲାଗିଥିବା ସିସିଟିଭି ନିଶ୍ଚିତ ଭାବେ ମୋ ସୁରକ୍ଷାରେ ବାଧା ସୃଷ୍ଟି କରୁଛି । ଏଇ ସାଧାରଣ କଥାକୁ ନେଇ ଭିଡିଓ କରି ଭାଇରାଲ କରିବା ପଛରେ ଶ୍ୱଶୁରଙ୍କର କ’ଣ ଉଦ୍ଦେଶ୍ୟ ରହିଛି । ଘରର ବୋହୂଟା ଯଦି ଘର ଭିତରର ସିସିଟିଭିକୁ ଘୋଡ଼େଇ ଦେଲା, ଏଇଟା କ’ଣ ଗୋଟେ ବଡ଼ ଇସ୍ୟୁ ହୋଇଗଲା । ମୋ ଶ୍ୱଶୁର ଘରେ ଦୁଇ ଦୁଇଟା ପୁଅ ରହିଛନ୍ତି । ସେମାନେ ଯଦି ମୋର ଡ୍ରେସ୍ ଚେଞ୍ଜ ସମୟର ଭିଡିଓ ଭାଇରାଲ୍ କରିଦେବେ, ସେତେବେଳେ ମୁଁ କ’ଣ କରିବି । ବୋଧହୁଏ ସେମାନେ ଏହି ପ୍ଲାନିଂରେ ଥିଲେ, ତେଣୁ ତାଙ୍କୁ ଏହି କଥାଟି ବେଶି ବାଧୁଛି । ମହିଳାମାନେ ଘରର ମେନ୍ ଗେଟ୍ ଭାଙ୍ଗିବା ସମୟରେ ପୋଲିସ କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।