ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ବିଜେଡିର ଜଣେ ବରିଷ୍ଠ ନେତାଙ୍କ ପରଲୋକ ଘଟିଛି । ମାଲକାନଗିରି ଜିଲ୍ଲାର ପୂର୍ବତନ ବରିଷ୍ଠ ସଭାପତି ସର୍ଦ୍ଦାର ମେହେଙ୍ଗା ସିଂଙ୍କର ପରଲୋକ ଘଟିଛି । ମେହେଙ୍ଗାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦଳର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ଏଥିସହିତ ରାଜନୀତି ସହ ଜଡ଼ିତ ବିଭିନ୍ନ ଦଳର ବ୍ୟକ୍ତିମାନେ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।
ଆଜି ଭୋର ୪.୩୦ ସମୟରେ ମେହେଙ୍ଗା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ୧୯୪୭ ମସିହା ମାର୍ଚ୍ଚ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ୧୯୬୫ରେ ସେ ଜିଲ୍ଲାର ଗୋଟିଯୋଡ଼ି ଗ୍ରାମରେ ବସତି ସ୍ଥାପନ କରିଥିଲେ । ୧୯୭୭ ମସିହାରେ ସେ ସର୍ବପ୍ରଥମେ ଜନତା ଦଳରେ ଯୋଗଦେଇଥିଲେ । ସେ ୧୯୯୦ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଜନତା ଦଳ ଓ ୧୯୯୭ରୁ ୨୦୦୭ ପର୍ଯ୍ୟନ୍ତ ବିଜୁ ଜନତା ଦଳର ସଭାପତି ଥିଲେ ।
ମୃତ୍ୟୁ ବେଳକୁ ମେହେଙ୍ଗାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତାଙ୍କର ପରିବାରରେ ପତ୍ନୀ ଓ ୩ ପୁଅ ରହିଛନ୍ତି । ଏଥିସହିତ ତାଙ୍କର ଦୁଇ କନ୍ୟା ରହିଥିବା ବେଳେ ସେମାନେ ବିବାହ କରିସାରିଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ଦୀର୍ଘ ଦଶନ୍ଧି ଧରି ଦଳ ସହ ରହିଥିଲେ ଓ ଦଳର ବିକାଶ ପାଇଁ କାର୍ଯ୍ୟ କରିଥିଲେ ।