fbpx

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ଜଣାଶୁଣା ସାମ୍ବାଦିକଙ୍କ ପରଲୋକ ଘଟିଛି । ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର ଆଉ ନାହାନ୍ତି । ତାଙ୍କର ମୃତ୍ୟୁରେ ରାଜ୍ୟର ସାମ୍ବାଦିକତା ଜଗତରେ ଶୋକର ଲହରୀ ଲେଖିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିବାରୁ ବାସୁଦେବଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାସୁଦେବ ଦୀର୍ଘବର୍ଷ ଧରି ସାମ୍ବାଦିକତା କ୍ଷେତ୍ର ସହିତ ଜଡ଼ିତ ଥିଲେ । ଉଭୟ ଓଡ଼ିଆ ଓ ଇଂରାଭୀ ଭାଷାରେ ତାଙ୍କର ବେଶ୍ ଦକ୍ଷତା ରହିଥିଲା । ଖବରକାଗଜରୁ କ୍ୟାରିୟର ଆରମ୍ଭ କରିଥିବା ବାସୁଦେବ ବିଭିନ୍ନ ଚାନେଲରେ ଏଡିଟର ଭାବେ କାର୍ଯ୍ୟ କରିବା ସହିତ ଲେଖାଲେଖି ମଧ୍ୟ କରୁଥିଲେ ।

ମୃତ୍ୟୁ ବେଳକୁ ବାସୁଦେବଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ସେ ପରିବେଶ ଓ ବିଜ୍ଞାନ ସମ୍ପର୍କିତ ଖବର ପାଇଁ ବେଶ୍ ପରିଚିତ ଥିଲେ । ତାଙ୍କର ମୃତ୍ୟୁରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ସହିତ ଗଣମାଧ୍ୟମ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କର ମୃତ୍ୟୁ ମିଡ଼ିଆ ଜଗତ ପାଇଁ ଏକ ଅପୂରଣ କ୍ଷତି । ସେ ‘ଧରିତ୍ରୀ’ ସହିତ ବହୁ ଖବରକାଗଜରେ କାର୍ଯ୍ୟ କରିବା ସହିତ ‘ନକ୍ଷତ୍ର’ ଟିଭିର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ ନିଜର ଏକ ୱେବ ପୋର୍ଟାଲ ମଧ୍ୟ ଚଳାଉଥିଲେ । ତାଙ୍କର ଲେଖା ଏକାଧିକ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.