୭ ବର୍ଷର ବାଳକ ସାଜିଲା ହିରୋ: ନଦୀର ସ୍ରୋତରେ ଭାସିଯାଉଥିବା ବାପା ଓ ଭଉଣୀଙ୍କୁ ବଞ୍ଚାଇବା ପାଇଁ ୧ ଘଣ୍ଟା ଧରି ପହଁରିଲା

ୱାଶିଂଟନ: ଜଣେ ୭ ବର୍ଷର ବାଳକ ନିଜର ସାହସିକତାର ପ୍ରମାଣ ଦେଇଛନ୍ତି । ସେ ନିଜର ବାପା ଓ ଭଉଣୀଙ୍କୁ ଉଦ୍ଧାର କରିବା ପାଇଁ ୧ ଘଣ୍ଟା ପାଇଁ ପାଣିରେ ପହଁରିଥିଲେ । ଷ୍ଟିଭେନ୍ ପାଉଷ୍ଟ ନାମକ ଜଣେ ବ୍ୟକ୍ତି ନିଜର ଦୁଇ ସନ୍ତାନ ଚେଜ (୭) ଓ ଆବିଗେଲ (୪)ଙ୍କୁ ଡଙ୍ଗାରେ ନେଇ ଫ୍ଲୋରିଡାର ସେଣ୍ଟ ଜନସ୍ ନଦୀକୁ ଯାଇଥିଲେ । ନଦୀର ସ୍ରୋତ ପ୍ରଖର ଥିବାରୁ ହଠାତ୍ ୪ ବର୍ଷର କନ୍ୟା ସନ୍ତାନ ଆବିଗେଲ ଯିଏକି ଲାଫ୍ ଜ୍ୟାକେଟ୍ ପିନ୍ଧିଥିଲା ଡଙ୍ଗାରୁ ଖସି ପଡ଼ିଥିଲା । ଏହାପରେ ପାଉଷ୍ଟ ନିଜ ସନ୍ତାନଙ୍କୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଥିଲେ । ନିଜର ଦୁଇ ସନ୍ତାନଙ୍କୁ କୂଳକୁ ଆଣିବା ପାଇଁ ପାଉଷ୍ଟଙ୍କୁ ଏକ ଘଣ୍ଟା ସମୟ ଲାଗିଥିଲା । ଏତେ ସମୟ ଧରି ୭ ବର୍ଷର ବାଳକ ଚେଜ ପାଣିରେ ପହଁରି ରହିଥିଲେ, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ପିତା ଓ କନ୍ୟା ଡଙ୍ଗାଠାରୁ ପ୍ରାୟ ୪ କିମି ଦୂରକୁ ଚାଲିଯାଇଥିଲେ ବୋଲି ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ୍ ସୂଚନା ଦେଇଛନ୍ତି । ପରିଶେଷରେ ତିନିଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।