fbpx

ରାଜ୍ୟରେ ପୁରୁଷଙ୍କ ପାଇଁ ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ, କେବଳ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଅପେକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୂର୍ବରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି) ଗଠନ କରାଯାଇଥିବା ବେଳେ ଏବେ ପୁରୁଷ ଏସଏଚଜି ଗଠନ କରାଯିବ । ମହିଳାଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ପୁରୁଷ ଏସଏଚଜିଙ୍କୁ ପ୍ରଦାନ କରାଯିବ । ରାଜ୍ୟର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ଏପରି ଘୋଷଣା କରାଯାଇଛି ।

ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ମୋଦିଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଏକ ସଂକଳ୍ପ ଅଟେ । ଏହାକୁ ମୂଳମନ୍ତ୍ର କରି ପ୍ରଧାନମନ୍ତ୍ରୀ ଗ୍ରାମାଞ୍ଚଳର ଗରିବଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ମାତ୍ର ପଞ୍ଚାୟତ ସ୍ତରରେ ଶାସକ ଦଳର ନେତାମାନେ ସମସ୍ତଙ୍କୁ ଲୁଟ୍ କରୁଛନ୍ତି । ତ୍ରିସ୍ତରୀୟ ନିର୍ବାଚନରେ ବିଜେପି ବିଜୟ ଲାଭ କଲେ ପଞ୍ଚାୟତ ଓ ବ୍ଲକ ସ୍ତରରୁ ପିସି କାରବାରକୁ ବନ୍ଦ କରିବ । ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଓ ପାଇଖାନା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ପାଇଁ କାହାକୁ ଲାଞ୍ଚ ଦେବାକୁ ପଡ଼ିବ ନାହିଁ । ସରପଞ୍ଚଙ୍କୁ ସମସ୍ତ କ୍ଷମତା ଦିଆଯିବା ସହ ପ୍ରତ୍ୟେକ ଗାଁରେ ଗ୍ରାମସଭା ଓ ପଲ୍ଲସଭା ଜରିଆରେ ବିକାଶର ନକ୍ସା ପ୍ରସ୍ତୁତ କରାଯିବ । ପଞ୍ଚାୟତ ସ୍ତରରେ ଧାନମଣ୍ଡି ଖୋଲିବା ସହ ଅଙ୍ଗନୱାଡ଼ି, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଏହି ଇସ୍ତାହାର ଘୋଷଣା ବେଳେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାପତି ବଳଭଦ୍ର ମାଝୀ, ରମାରଞ୍ଜନ ବଳିୟାରସିଂହ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.