ଦଳ ବିରୋଧୀ ମନ୍ତବ୍ୟ ପାଇଁ କାରଣ ଦର୍ଶାଅ ନୋଟିସ୍, କଂଗ୍ରେସ ଭବନରେ ଉତ୍ତର ରଖିଲେ ସୁର ରାଉତରାୟ

ଭୁବନେଶ୍ୱର: ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଗୁରୁବାର କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇଛନ୍ତି । ସେ ତାଙ୍କ ପୁଅ ପାଇଁ କୌଣସି ଭୋଟ ଭିକ୍ଷା କରିନାହାଁନ୍ତି । ଏନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଥିବା ସେ କହିଛନ୍ତି ।

ସୂଚନାରୁ ପ୍ରକାଶ ପୁଅ ପାଇଁ ପ୍ରଚାର କରିବା ଏବଂ ପୁଅକୁ ସମର୍ଥନ କରିବା ଅଭିଯୋଗ ଆସିବା ପରେ ଦଳ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଗଣମାଧ୍ୟମକୁ ସୁର କହିଛନ୍ତି, ସେ ଦଳ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ତାଙ୍କ ମନ୍ତବ୍ୟକୁ କଦର୍ଥ କରି ପ୍ରସାରଣ କରାଯାଇଛି । ଶେଷ ଜୀବନ ପର୍ଯ୍ୟନ୍ତ ସେ କଂଗ୍ରେସରେ ରହିବେ ଓ ଦଳ ପାଇଁ ପ୍ରଚାର କରିବେ । ବୋଲି କହିଥିଲେ ସୁର । ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସକୁ ଭଲ ପାଏ, ତାକୁ ଯେଉଁଠାରୁ ଟିକେଟ ମିଳିବ ସେ ଯାଇ ପ୍ରଚାର କରିବେ । କିନ୍ତୁ ସାନ ପୁଅ ମନ୍ମଥ ପାଇଁ ପ୍ରଚାର କରିବେ ନାହିଁ ବୋଲି କହିଥିଲେ । ସୁରଙ୍କ ସାନ ପୁଅ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ତେବେ ଭୁବନେଶ୍ୱର ଉତର ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ଉପସ୍ଥିତରେ ସେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ବିଜେଡିକୁ ଭୋଟ ଦେବାକୁ ଅପିଲ କରିଥିଲେ ସୁରେଶ ରାଉତରାୟ । ସୁରଙ୍କ ଏଭଳି ବୟାନ ପରେ ଦଳ ପକ୍ଷରୁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।