fbpx
BJD
BJD SKY
BJD SKY

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ଼ ନିଷ୍ପତ୍ତି: ଏପ୍ରିଲ ୨୯ରୁ ପଶ୍ଚିମ ଦ୍ୱାରଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ, ଚନ୍ଦନ ଯାତ୍ରାରେ ସାମିଲ ହୋଇପାରିବେ ଭକ୍ତ

୨୫ରେ ପୁଣି ପରିଚାଳନା କମିଟି ବୈଠକ

ପୁରୀ,(ଭାସ୍କର ନ୍ୟୁଜ୍‌): ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଏହି ବୈଠକରେ ୨୦୦ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ ହେବାର ପୂର୍ବରୁ ସ୍ଥିର ହୋଇଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ହୋଇନଥିବାରୁ ଉପସ୍ଥାପନ କରାଯାଇ ପାରିଲାନାହିଁ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ତେବେ ଅନ୍ୟ ଏକ ନିଷ୍ପତ୍ତିରେ ଏଣିକି ସହଜ ହେବ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଜଗା ଦର୍ଶନ । ପୂର୍ବରୁ ଭକ୍ତମାନେ କେବଳ ପୂର୍ବଦ୍ୱାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଥିବାବେଳେ ଆସନ୍ତା ୨୯ ତାରିଖଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଖୋଲା ରହିବ । ପୂର୍ବରୁ ପଶ୍ଚିମ ଦ୍ୱାର ଦେଇ ସେବାୟତଙ୍କ ପରିବାର ଓ ପୁରୀ ସହରବାସୀଙ୍କୁ ମନ୍ଦିର ଯିବାପାଇଁ ଅନୁମତି ରହିଥିଲା । ଏବେ ପଶ୍ଚିମ ଦ୍ୱାର ଦେଇ ସମସ୍ତ ଭକ୍ତ ପ୍ରବେଶ କରିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିଭଳି ଚନ୍ଦନ ଯାତ୍ରାରେ ଭକ୍ତମାନେ ସାମିଲ ହେବା ନେଇ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରଥଯାତ୍ରା ଗହଳିକୁ ଦେଖି ପଶ୍ଚିମ ଦ୍ୱାରରେ ସେଡ୍‌ ନିର୍ମାଣ କରାଯିବ । ଏହି ସେଡ୍‌ ପୂର୍ବରୁ ବଡ଼ଦାଣ୍ଡରେଥିବାରୁ ଏହାକୁ ଖୋଲାଯିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟପଟେ ରଥଯାତ୍ରା ପାଇଁ ଖୁବ୍‌ଶୀଘ୍ର ରଥନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭି.ଭି. ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଲସିଂହ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଏଥିସହ ଐତିହ୍ୟ କରିଡର ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ବା ଆନ୍ଦୋଳନକୁ ବନ୍ଦକରିବା ଇତ୍ୟାଦି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ତେବେ ଆସନ୍ତା ୨୫ ତାରିଖରେ ବସିବାକୁ ଥିବା ବୈଠକରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.