fbpx

ଆଇସିସି ଟି-୨୦ ମାନ୍ୟତାରେ ଶ୍ରେୟସଙ୍କ ଜଲଓ୍ଵା, ୨୭ଟି ସ୍ଥାନ ଉପରକୁ ଉଠିଲେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟି-୨୦ ମାନ୍ୟତା ଜାରି କରିଛି। ଏଥିରେ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ଖୁବ୍ ଫାଇଦା ମିଳିଛି। ଶ୍ରେୟସ ନିକଟରେ ସମାପ୍ତ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚର ଟି-୨୦ ସିରିଜରେ ତିନୋଟି ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏବେ ଟି-୨୦ ସିରିଜରେ ୨୭ଟି ସ୍ଥାନ ଉପରକୁ ଉଠିଛନ୍ତି ଶ୍ରେୟସ।

ଭାରତୀୟ ଦଳ ଶ୍ରୀଲଙ୍କାକୁ ଟି-୨୦ ସିରିଜରେ ୩-୦ରେ ମୂଳପୋଛ କରିଛି। ଏହା ପରେ ଆଇସିସି ଟି-୨୦ ମାନ୍ୟତା ଜାରି କରିଛି। ଶ୍ରେୟସ ୨୭ଟି ସ୍ଥାନ ଉନ୍ନତି ଘଟାଇ ଶୀର୍ଷ ୨୦ରେ ପ୍ରବେଶ କରିଛନ୍ତି। ସେ ଗତ ସିରିଜରେ ୧୭୪ ଷ୍ଟ୍ରାଇକ୍ ରେଟରେ ୨୦୪ ରନ କରିଥିଲେ। ଶ୍ରେୟସ ବର୍ତ୍ତମାନ ୧୮ତମ ସ୍ଥାନରେ ଅଛନ୍ତି। ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ସେ ୪୫ତମ ସ୍ଥାନରେ ଥିଲେ।

ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ଵର କୁମାରଙ୍କୁ ମଧ୍ୟ ତିନୋଟି ସ୍ଥାନ ଫାଇଦା ମିଳିଛି। ସେ ୧୭ମ ସ୍ଥାନକୁ ଉଠିଛନ୍ତି। ଶ୍ରୀଲଙ୍କାର ପଥୁମ ନିଶଙ୍କା ଦ୍ଵିତୀୟ ମ୍ୟାଚରେ ୭୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଫଳରେ ସେ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ବିରାଟ କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଶେଷ ମ୍ୟାଚ୍ ଏବଂ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚର ଟି-୨୦ ସିରିଜରୁ ବିଶ୍ରାମ ନେଇଥିଲେ। ଏହାର କ୍ଷତି ତାଙ୍କୁ ସହିବାକୁ ପଡିଛି। କୋହଲି ଟପ୍ ୧୦ରୁ ବାଦ୍ ପଡି ୧୫ତମ ସ୍ଥାନକୁ ଖସି ଆସିଛନ୍ତି।

Get real time updates directly on you device, subscribe now.