fbpx

ସୁନାରେ ସଜେଇ ହେବେ ଶ୍ରୀଜୀଉ, ଭକ୍ତ ଦେଖିବ କୋଟିକୈବଲ୍ୟଙ୍କ ଲୀଳା, ରାଜବେଶର କ’ଣ ରହିଛି ମହତ୍ତ୍ୱ, ବର୍ଷକୁ ହୁଏ ୫ ଥର ସୁନାବେଶ

ଓଡିଶା ଭାସ୍କର: ଜଗତରନାଥ କୌଟିକୈବଲ୍ୟଙ୍କ ଆଜି ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବ ଆଜି କାଳିଆଠାକୁର । ଚକାଆଖିର ଏହି ଦୁର୍ଲ୍ଲଭ ବେଶ ଦେଖି ଭକ୍ତ ଆଖିରୁ ଲୋତକ ଗଡିବ । ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହେବ । ପୁରୀ ବଡଦାଣ୍ଡ ଉଛୁଳିବ ଭକ୍ତର ଭାବାବେଗ ସହିତ । ବଡଦାଣ୍ଡରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କର ସମାଗମ ହେବ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ସନ୍ଧ୍ୟା ୫ ଟାରୁ ୭ ଟା ମଧ୍ୟରେ ସୁନାବେଶ ଅନୁଷ୍ଠିତ ହେବ । ରାତି ପ୍ରାୟ ୧୧ ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସୁନା ବେଶର ଦର୍ଶନ କରି ପାରିବ ଭକ୍ତ ।

ସୁନାବେଶ ବା ରାଜବେଶ! ଏହାକୁ ବଡତଢାଉ ବେଶ ମଧ୍ୟ କୁହାଯାଏ । ଏହା କାଳିଆସାଆନ୍ତର ଏକ ବିଶେଷ ବେଶ ଅଟେ । ଏଥିରେ ଦିଅଁଙ୍କୁ ଆଭୂଷଣରେ ସଜାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ହୋଇଥାଏ । ସାଧାରଣତଃ ପୌଷପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), କାର୍ତ୍ତିକ ପୂର୍ଣ୍ଣିମା ( ରାଜରାଜେଶ୍ୱର ବେଶ), ବିଜୟା ଦଶମୀ ( ଦଶହରା ) ତଥା ଆଜି ମାନେ ହରିଶୟନ ଏକାଦଶୀ ( ବାହୁଡା ଏକାଦଶୀ) ରେ ଜଗନ୍ନାଥଙ୍କର ଏହି ସୁନାବେଶ ଅନୁଷ୍ଠିତ ହୁଏ ।

ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନରେ ଉପରେ ଶ୍ରୀଜୀଉମାନେ ସୁନାବେଶରେ ସଜେଇ ହୋଇଥାଆନ୍ତି କାତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ତଥା ଦଶହରା ତିଥିରେ । ମାତ୍ର କେବଳ ଥରେ ଆଷାଢ ଶୁକ୍ଲ ଏକାଦଶୀରେ ହିଁ କାଳିଆ ମହଣ ମହଣ ସୁନାରେ ସଜେଇ ହୋଇ ରଥରେ ହିଁ ସିଂହଦ୍ୱାର ସମ୍ମୁଖରେ ନିଜର ଭକ୍ତଙ୍କୁ ଦର୍ଶନ ଦେଇଥାଏ ।

ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପେର, ପ୍ରାୟ ୨ ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୁଏ । ଶ୍ରୀଜୀଉମାନେ ସୁନାବେଶରେ ଭକ୍ତଙ୍କୁ ପ୍ରାୟ ୬ ଘଣ୍ଟା ଧରି ଦର୍ଶନ ଦିଅନ୍ତି । ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡରେ, ତଳିଚ୍ଛ ମହାପାତ୍ର ବଡଠାକୁର ଶ୍ରୀ ବଳଭଦ୍ରଙ୍କ ବାଡରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି ।

Get real time updates directly on you device, subscribe now.