fbpx

ସୁପ୍ରିମକୋର୍ଟକୁ ଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ବ୍ଲକରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଗଣଧାରଣା

ଭୁବନେଶ୍ୱର: ସୁପ୍ରିମକୋର୍ଟକୁ ଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା । ବେଆଇନ୍ ନିର୍ମାଣକୁ ତୁରନ୍ତ ବନ୍ଦ କରିବା ପାଇଁ ଖୁବ୍ ଶୀଘ୍ର ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରାଯିବ । ଏହା ସଙ୍ଗେ ସଙ୍ଗେ ସାରା ରାଜ୍ୟରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସଂଗଠନ। କାର୍ଯ୍ୟ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସାଧାରଣ ଜନତାଙ୍କ ଦ୍ଵାରା ଅଧିକରୁ ଅଧିକ ଚିଠି ଲେଖାଯିବ। ବ୍ଲକରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଗଣଧାରଣା, ବୁଦ୍ଧିଜୀବୀ ସଂଗୋଷ୍ଠୀ, ସନ୍ଥ ସମ୍ମିଳନୀ, ମାତୃଶକ୍ତି ଜାଗରଣ ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ କରାଯିବ ।

ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାକୁ ନେଇ ରାଜନିତୀ ତେଜିବାରେ ଲାଗିଛି । ଏହାର ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ବିଭିନ୍ନ ପ୍ରକାର ନିର୍ମାଣ ଖନନ କାର୍ଯ୍ୟକୁ ନେଇ ହାଇକୋର୍ଟରେ ଶୁୁଣାଣି ହୋଇଛି । ଶୁଣାଣିରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ଦଖଲ ହୋଇଥିବା ସତ୍ୟପାଠକୁ ନେଇ ରାଜନୀତି ଆହୁରି ବଢ଼ିଯାଇଛି ।

ଏହାରି ମଧ୍ୟରେ ଗତକାଲି ପୁରୀ ଏସଡିଜେଏମ କୋର୍ଟ ଏହି ବିଷୟରେ ପୁରୀ ଜିଲ୍ଲାପାଳ, ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କମ୍ପାନୀ(ଓବିସି) ଏବଂ ଟାଟା ପ୍ରୋଜେକ୍ଟ ଲିମିଟେଡ଼ ବିରୋଧରେ ମାମଲା ରୁଜୁ ପାଇଁ ସିଂହଦ୍ୱାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ତିନି ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଅଭିଯୋଗର ତଦନ୍ତ କରିବାକୁ କୋର୍ଟ କହିଛନ୍ତି ।

ଶ୍ରୀମନ୍ଦିର ଚତୁର୍ପାର୍ଶ୍ଵର ସୌନ୍ଦର୍ଯୀକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ପ୍ରକାରର ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ସମ୍ପୂର୍ଣ୍ଣ ରୂପେ ଅବୈଧ , ଅନୈତିକ ତଥା ଅପରିଣାମଦର୍ଶୀ । ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ କୀର୍ତ୍ତି ହୋଇଥିବା ହେତୁ , ଏହାର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ଓ ସଂରକ୍ଷଣ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ବିଭାଗ (ଏଏସଆଇ) ର କର୍ତ୍ତୁତାଧିନ ।

ଶ୍ରୀମନ୍ଦିରରୁ ୧୦୦ ମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଏବଂ ୧୦୦ ମିଟରରୁ ୩୦୦ ମିଟର ପର୍ଯ୍ୟନ୍ତ ନିୟମିତ ଅଞ୍ଚଳ ଅଟେ । ଆଇନ୍ କହୁଛି, ନିଷିଦ୍ଧାଳରେ ସ୍ଥାୟୀ ବୃହତ ନିର୍ମାଣ ସମ୍ପୂର୍ଣ ନିଷିଦ୍ଧ ଏବଂ ନିୟରିତ ଅଞ୍ଚଳରେ ଯେକୌଣସି ନିର୍ମାଣ ଏଏସଆଇର ପରାମର୍ଶ ଅନୁଯାୟୀ ହେବ। କିନ୍ତୁ ରାଜ୍ୟ ସରକାର ସମସ୍ତ ଆଇନ କାନୁନ୍ କୁ ଉଲ୍ଲଙ୍ଘନ କରି ଶ୍ରୀମନ୍ଦିରର ଅତି ନିକଟରେ ଉଚ୍ଚଶକ୍ତି ସମ୍ପନ୍ନ ମେସିନ ଦ୍ବାରା ଗଭୀର ଗର୍ତ୍ତ ଖନନ ତଥା ବୃହତ ନିର୍ମାଣର ଯୋଜନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଏହା ଦ୍ଵାରା ଶ୍ରୀମନ୍ଦିରର ମୂଳଗିରି ଗଭୀର ଭାବେ ପ୍ରଭାବିତ ହୋଇଛି। ଉଚ୍ଚ ନ୍ୟାୟାଳୟରେ ଏଏସଆଇ ଦ୍ଵାରା ଦାଖଲ କରାଯାଇଥିବା ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛି । କୌଣସି ଅଧିକୃତ ସଂସ୍ଥାର ଅନୁମତି ନଥାଇ ରାଜ୍ୟ ସରକାର ଏଭଳି ବେଆଇନ କାର୍ଯ୍ୟ କରୁଥିବା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସଂଗଠନ ଅଭିଯୋଗ କରିଛି ।

 

Get real time updates directly on you device, subscribe now.