ଭବାନିପାଟନା- ଭବାନିପାଟନା ସରକାରୀ ମହିଳା ମହାବିଦ୍ୟାଳୟର +୨ ତୃତୀୟ ବର୍ଷର ଛାତ୍ରୀ ତଥା ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଶିବାନୀ ବାଗ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ଗର୍ବିତ କରିବାକୁ ଯାଉଛନ୍ତି । ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ସେ ଦିଲ୍ଲୀର କର୍ତ୍ତ୍ୟବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଭାଗନେଇ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭବାନୀପାଟଣାକୁ ପ୍ରତିନିଧିତ୍ୱ କରିବେ । ଶିବାନୀଙ୍କ ନାଁ ଜାତୀୟ ପାରେଡ ପାଇଁ ମନୋନୀତ ହେବା ପରେ ଜିଲ୍ଲା ବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।
ଶିବାନୀ ପ୍ରଥମେ ମହାବିଦ୍ୟାଳୟ ସ୍ତରୀୟ, ତାପରେ ବିଶ୍ୱବିଦ୍ୟାଳୟ ସ୍ତରରେ ଚୟନ ହୋଇ ରାଉରକେଲା ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚୟନ ଶିବିରରେ ଯୋଗଦେଇଥିଲେ । ଶିବାନୀ ବାଗ ୨୦୦ ଜଣ ଛାତ୍ରୀ ଛାତ୍ରଙ୍କ ମଧ୍ୟରୁ ମାତ୍ର ୫୨ ଜଣ ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ସ୍ଥାନ ପାଇ ଅସାମର ଗୋହାଟୀ ଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଚୟନ ଶିବିରରେ ଅଂଶଗ୍ରହଣ କରିଥିଲେ । ସେଠାରୁ ସେ ଅନ୍ତିମ ଚୟନ ପାଇଁ ମନୋନୀତ ହୋଇଛନ୍ତିା ଶିବାନୀକୁ ମିଶାଇ ମୋଟ ଆଠଜଣ ବିଭିନ୍ନ ବିଶ୍ୱବିଦ୍ୟାଳୟର ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ଯାଉଛନ୍ତି ।
ସାଧାରଣତନ୍ତ୍ର ଦିବସ ପାଇଁ ଆୟୋଜିତ ପାରେଡ ପ୍ରାକ୍ଟିସ ଆସନ୍ତା ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି । ଏହି ଶିବିରରେ ମୋଟ ୨୦୦ ଜଣ ସର୍ବଭାରତୀୟ ସ୍ତରୀୟ ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଯୋଗଦେଇ ଅଭ୍ୟାସ କରିବା ସହିତ ଆସନ୍ତା ଜାନୁଆରୀ ୨୬ ତାରିଖରେ କର୍ତ୍ତବ୍ୟ ପଥ ପରେଡ଼ରେ ଭାଗ ନେବେ । ଏହି ସଫଳତା ପାଇଁ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତ୍ରିଲୋଚନ ଜେନା, ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ଼.ରାଧାରାଣୀ ନାୟକ, ଏନ୍.ଏସ୍.ଏସ୍ ବ୍ୟୁରୋ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଡ଼. ଚିତ୍ତରଞ୍ଜନ ଖୁସିବ୍ୟକ୍ତ କରିଛନ୍ତି ।