ମୁଖ୍ୟମନ୍ତ୍ରୀଙ୍କୁ ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଦେଲେ ୨ ବ୍ରହ୍ମାକୁମାରୀ ଭଉଣୀ, କାରଣ କ’ଣ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଆଗ୍ରାରେ ପ୍ରଜାପତି ବ୍ରହ୍ମାକୁମାରୀ ଆଶ୍ରମରେ ରହୁଥିବା ଦୁଇ ଭଉଣୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ଆଗ୍ରାର ଜଗନେର ଅଞ୍ଚଳରେ ଘଟିଛି । ଆତ୍ମହତ୍ୟା କରିବା ପୂର୍ବରୁ ଉଭୟ ୩ ପୃଷ୍ଠାର ସୁଇସାଇଡ୍ ନୋଟ୍ ବି ଲେଖିଛନ୍ତି । ଏହି ସୁଇସାଇଡ୍ ନୋଟ୍‌ରେ ସେମାନେ ସଂସ୍ଥାର ୪ ଜଣ ଲୋକଙ୍କୁ ଦାୟୀ କରିଛନ୍ତି ।

ସୁଇସାଇଡ୍ ନୋଟ୍‌ରେ ୨ ଭଉଣୀ ଅଭିଯୁକ୍ତଙ୍କୁ ଆଶାରାମ ବାପୁଙ୍କ ପରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି । ଏହି ୪ ଜଣ ଅଭିଯୁକ୍ତ ଅନେକ ଲୋକଙ୍କ ଠାରୁ ଟଙ୍କା ପଇସା ହଡପ କରିବା ସହ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ ବୋଲି ସୁଇସାଇଡ୍ ନୋଟ୍‌ରେ ୨ ଭଉଣୀ ଉଲ୍ଲେଖ କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ ୪ ଅଭିଯୁକ୍ତଙ୍କ ଘର ଆଗ୍ରା ବାହାରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଛି ଓ ଅନ୍ୟ ୨ ଜଣଙ୍କୁ ଗିରଫ ଲାଗି ପୋଲିସ ତନାଘନା ଆରମ୍ଭ କରିଦେଇଛି । ପୋଲିସ କହିବା ଅନୁଯାୟୀ ସୁଇସାଇଡ୍ କରିଥିବା ଦୁଇ ଭଉଣୀ ଏକତା(୩୮) ଓ ଶିଖା(୩୨) ୮ ବର୍ଷ ତଳେ ବ୍ରହ୍ମକୁମାରୀ ଦୀକ୍ଷା ନେଇଥିଲେ । ଦୀକ୍ଷା ନେବା ପରେ ତାଙ୍କ ପରିବାର ସେମାନଙ୍କ ଲାଗି ଜଗନେରରେ ବ୍ରହ୍ମାକୁମାରୀ କେନ୍ଦ୍ର ଗଢିଥିଲେ ଯେଉଁଠି ଏମାନେ ରହୁଥିଲେ । ସୁଇସାଇଡ୍ ନୋଟ୍‌ରେ ସେମାନେ ସେମାନଙ୍କ ମୃତ୍ୟୁ ପାଇଁ ଆଶ୍ରମର ନୀରଜ ସିଙ୍ଘଲ, ଧୌଲପୁରର ତାରାଚାନ୍ଦ, ନୀରଜଙ୍କ ପିତା, ଗ୍ୱାଲିଅରରୁ ଆଶ୍ରମରେ ରହୁଥିବା ଜଣେ ମହିଳାଙ୍କୁ ଦାୟୀ କରିଛନ୍ତି ।