fbpx
BJD
BJD SKY
BJD SKY

ସ୍କିନ୍ କ୍ୟାନ୍ସର ବିରୋଧ ଯୁଦ୍ଧରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା: ପ୍ରସ୍ତୁତ କଲେ କୋଭିଡ ଭଳି ଟିକା, କମିଲା ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ସ୍କିନ୍ କ୍ୟାନ୍ସର (ଚର୍ମ କର୍କଟ) ବିରୋଧ ଲଢ଼େଇରେ ବୈଜ୍ଞାନିକଙ୍କୁ ମିଳିଛି ବଡ଼ ସଫଳତା । ଚର୍ମ କର୍କଟ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଟିକାର ଟ୍ରାଏଲରେ ମେଡିସିନ୍ ନିର୍ମାତା କମ୍ପାନୀ ମାଡର୍ନା ଓ ମର୍କକୁ ଭଲ ରେଜଲ୍ଟ ମିଳିଥିବା ସୂଚନା ମିଳିଛି । ଏହି ଟିକାର ଖାସ୍ କଥା ହେଉଛି କି, ଏହାକୁ ସେହି mRNA ଟେକନିକରେ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ କୋଭିଡ ଟିକା ପ୍ରସ୍ତୁତ କରାଯାଇଥିଲା । ବୈଜ୍ଞାନିକଙ୍କ ମତରେ, mRNA ଅନ୍ୟ ଭାଇରସ୍ ଓ କ୍ୟାନ୍ସର ଭଳି ରୋଗ ସହ ଲଢ଼ିବାରେ ସାହାଯ୍ୟ କରିଥାଏ ।

ମେଡିସିନ୍ କମ୍ପାନୀଗୁଡିକ ଅନୁଯାୟୀ, ପ୍ରାରମ୍ଭିକ ଟ୍ରାଏଲରେ ୧୫୦ ଜଣ ସାମିଲ ଥିଲେ । ଅସ୍ତ୍ରୋପଚାର ମାଧ୍ୟମରେ ସେମାନଙ୍କ ଶରୀରରୁ ମେଲାନୋମା ଟ୍ୟୁମର ବାହାର କରାଯାଇଥିଲା । ଚର୍ମ କର୍କଟ ରୋଗର ଚିକିତ୍ସା ପାଇଁ କିଟ୍ରୁଡା ସହିତ ତାଙ୍କୁ ଏହି ଟିକାର ୯ ଡୋଜ ଦିଆଯାଇଥିଲା । ଏହି ଅଧ୍ୟୟନରେ ଜଣାପଡିଛି ଯେ, କେବଳ ଇମ୍ୟୁନୋଥେରାପି ମେଡିସିନ୍ କିଟ୍ରୁଡା ଗ୍ରହଣ କରୁଥିବା ରୋଗୀଙ୍କ ତୁଳନାରେ ମେଡିସିନ୍ ସହ ଟିକା ଲଗାଉଥିବା ରୋଗୀଙ୍କଠାରେ ସ୍କିନ୍ କ୍ୟାନ୍ସର ଆଉଥରେ ହେବା ବା ମୃତ୍ୟୁ ଆଶଙ୍କା ୪୪% କମିଯାଇଛି ।

ତେବେ ମେଲାନୋମା ଚର୍ମ କର୍କଟ ରୋଗର ସବୁଠାରୁ ଖରାପ ରୂପ । ୨୦୨୦ ମସିହାରେ ପ୍ରାୟ ୩୨୫,୦୦୦ ନୂଆ ରୋଗୀ ସାମ୍ନାକୁ ଆସିଥିଲେ । କମ୍ପାନୀର ବିବୃତ୍ତିରେ କୁହାଯାଇଛି ଯେ, ୨୦୨୨ ମସିହାରେ ମେଲାନୋମା ରୋଗରେ ପ୍ରାୟ ୮,୦୦୦ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି ।

ଡାକ୍ତରଙ୍କ କହିବା ଅନୁଯାୟୀ, ଏହି mRNA ଟିକା ଯୋଗୁଁ ଇମ୍ୟୁନୋଥେରାପି ମେଡିସିନର ପ୍ରଭାବ ଯଥେଷ୍ଟ ବୃଦ୍ଧି ପାଏ ଏବଂ ଏହା ଅତ୍ୟନ୍ତ ଖୁସିର ବିଷୟ । ଏହା ସହିତ ସେ ଆଶା କରିଛନ୍ତି ଯେ, ଆଗାମୀ ସମୟରେ ଏହି ଟିକା ଚର୍ମ କର୍କଟ ରୋଗର ଚିକିତ୍ସା ପାଇଁ ଏକ ବିକଳ୍ପ ହୋଇପାରେ ।

ମାଡର୍ନା ଏବଂ ମର୍କ ଖୁବ ଶୀଘ୍ର ଏହି ଅଧ୍ୟୟନର ସମ୍ପୂର୍ଣ୍ଣ ରେଜଲ୍ଟ ପ୍ରକାଶ କରିବେ, ଯାହା ପରେ ଏହାର ପରିଣାମକୁ ସମୀକ୍ଷା କରାଯିବ । ଉଭୟ କମ୍ପାନୀ ମଧ୍ୟ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ମସିହାରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବେ, ଯେଉଁଥିରେ ବହୁ ସଂଖ୍ୟକ ରୋଗୀ ସାମିଲ ହେବେ ।

Get real time updates directly on you device, subscribe now.