ଶୀତଦିନେ ଛୋଟ ପିଲାଙ୍କୁ ହୋଇଥାଏ ସାଧାରଣ ଥଣ୍ଡା, ଜାଣନ୍ତୁ କିପରି ନେବେ ଯତ୍ନ

ବର୍ତ୍ତମାନ ଘରେ ଘରେ ଥଣ୍ଡା, କାଶ, ଜ୍ବର । ଋତୁ ପରିବର୍ତ୍ତନ ଯୋଗୁଁ ଛୋଟ ଛୁଆଠୁ ବୟସ୍କ ପର୍ଯ୍ୟନ୍ତ ଏହି ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ହେଉଛନ୍ତି । ହସ୍ପିଟାଲରେ ବଢୁଛି ରୋଗୀଙ୍କ ସଂଖ୍ୟା । ଶୀତ ଋତୁ ସମୟରେ ଶିଶୁମାନଙ୍କ କ୍ଷେତ୍ରରେ କିଛି ରୋଗ ପ୍ରମୁଖ ସମସ୍ୟା ରୂପେ ଦେଖାଯାଏ । ଏହି ସମୟରେ ସାଧାରଣ ଥଣ୍ଡା-କାଶ, ବ୍ରୋଙ୍କିଓଲାଇଟିସ୍‌, ନିମୋନିଆ, ଫାରିଞ୍ଜାଇଟିସ୍‌, ଟନ୍ସିଲାଇଟିସ୍, ଆଜମା, ଲହରାକାଶ, ଇନଫ୍ଲୁଏଞ୍ଜା, ଭାଇରାଲ୍ ଡାଇରିଆ ଓ ଚର୍ମରୋଗ ଇତ୍ୟାଦି ହେବାର ଆଶଙ୍କା ରହିଥାଏ ।

ସାଧାରଣ ଥଣ୍ଡା ଏବଂ ଇନ୍‌ଫ୍ଲୁଏନ୍‌ଜାର ଲକ୍ଷଣ ଗୁଡ଼ିକ ହେଲା ନାକରୁ ପାଣି ବାହାରିବା, କାଶ ହେବା, ଦେହ ଗୋଡ଼ହାତ ଓ ମୁଣ୍ଡ ବିନ୍ଧା, ଜ୍ବର ହେବା । ଏହା ୫ରୁ ୭ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ଏହା ଭୂତାଣୁଜନିତ ହୋଇଥିବାରୁ ଆଣ୍ଟିବାୟୋଟିକ୍‌ର ଏହି ରୋଗରେ ଦରକାର ପଡ଼ିନଥାଏ । ବହୁକ୍ଷେତ୍ରରେ ଏହି ଲକ୍ଷଣଗୁଡ଼ିକର ଚିକିତ୍ସା ପାଇଁ ପାରାସିଟାମଲ୍ ଓ ଆଣ୍ଟି ହିଷ୍ଟାମିନିକ୍‌ସ୍‌ ବ୍ୟବହାର କରାଯାଏ । ଏହି ସମୟରେ ପିଲାର ନାକ ବନ୍ଦ ହେଉଥିଲେ ନାଜାଲ ଡ୍ରପ୍‌ ସହ ଶିଶୁକୁ ଅଧିକ ‌ପାଣି ପିଇବାକୁ ଦେବା କଥା । ଇନ୍‌ଫ୍ଲୁଏନ୍‌ଜାର ଟିକା ପ୍ରତିବର୍ଷ ଶିଶୁକୁ ଦେବା ଜରୁରୀ ।

ଶୀତଦିନେ ଛୋଟ ପିଲାଙ୍କୁ ସାଧାରଣ ଥଣ୍ଡା ହୋଇଥାଏ । ଶୀତ ଦିନେ ଚର୍ମରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ସାଧାରଣ ଥଣ୍ଡା ଜ୍ୱର ଏକ ଭୂତାଣୁ ଜନିତ ରୋଗ । ଏହା ଜଣକ ଠାରୁ ଅନ୍ୟ ଜଣକୁ ଆକ୍ରାନ୍ତ କରିଥାଏ । ଛିଙ୍କ, କାଶ ହେଉଥିଲେ ମୁହଁ ଓ ନାକକୁ ଘୋଡାଇ ରଖନ୍ତୁ । ଉଷୁମ ଖାଦ୍ୟ, ପାଣି, ଓଆରଏସ୍ ଭଲ ଭାବେ ପିଇବା ଦରକାର ।

ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ପ୍ରତିଷେଧକ ନେଇପାରିବେ । ଶିଶୁକୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବଢିଲେ, ଜ୍ୱରରୁ ସୁରକ୍ଷା ମିଳିବ । ଶୀତ ଦିନେ ଶିଶୁଙ୍କର ଅଚାନକ ବାନ୍ତି ହେଲେ କିମ୍ବା ନିଶ୍ୱାସ ନେବାବେଳେ ଧଇଁସଇଁ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଯଥାସମ୍ଭବ ପିଲାଙ୍କୁ ବାହାରକୁ ନିଅନ୍ତୁ ନାହିଁ । ଆଖପାଖରେ ଥଣ୍ଡା ରୋଗୀ ଥିଲେ ପିଲାକୁ ଦୂରେଇ ରଖନ୍ତୁ । ନଖ ଉଷୁମ ପାଣିରେ ପିଲାଙ୍କୁ ବାରମ୍ବାର ପୋଛନ୍ତୁ ।