ଝାନ୍ସି: ଆଜିକାଲି କିଛି ବି ଅସମ୍ଭବ ନୁହେଁ । ସେଥିପାଇଁ ଯେ କୌଣସି କାମ କରନ୍ତୁ ନା କାହିଁକି ସତର୍କତାର ସହ କରିବା ନିହାତି ଦରକାର । କାରଣ ଯଦି ବି କୌଣସି ଭୁଲ୍ ବା ତ୍ରୁଟି ଘଟିବ ତାହା ବିଶେଷ କ୍ଷତି କରିବ ନାହିଁ । କେବେ ଦେଖିଛନ୍ତି କି ଚଳନ୍ତା ଟ୍ରେନରେ ଯାତ୍ରୀମାନେ ଭୟ କାତରରେ ଦୌଡ଼ିବାର? ହୁଏତ କେବେ ଦେଖି ନ ଥିବେ । ଦାଦରରୁ ଅମୃତସର ଯାଉଥିବା ଟ୍ରେନରେ କିନ୍ତୁ ଏ ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଟ୍ରେନ୍ରେ ଜଣେ ଯାତ୍ରୀଙ୍କୁ ସାପ କାମୁଡ଼ିବା ପରେ ଏ ପ୍ରକାର ସ୍ଥିତି ଦେଖିବାକୁ ମିଳିଥିଲା । ମଧ୍ୟପ୍ରଦେଶ ଟିକମଗଡ଼ର ଭଗବାନ ଦାସ ଦିଲ୍ଲୀ ଯିବା ପାଇଁ ରବିବାର ରାତିରେ ଖଜୁରାହୋ- ଝାନ୍ସି ମେମୁରେ ଆସି ଝାନ୍ସିରେ ପହଞ୍ଚିଥିଲେ । ସେଠାରେ ୧୫ ମିନିଟ୍ ବିଳମ୍ବରେ ପାଖାପାଖି ୮.୩୫ରେ ଦାଦର- ଅମୃତସର ଏକ୍ସପ୍ରେସ ପହଞ୍ଚିଥିଲା । ଟ୍ରେନ୍ ଭିଡ଼ ଥିବା କାରଣରୁ ଭଗବାନ ଝରକା ପଛ ପାଖରେ ଯାଇ ଛିଡ଼ା ହୋଇଥିଲେ । ସେଠାରେ ଭଗବାନଙ୍କୁ କେଉଁଠୁ ଗୋଟିଏ ସାପ ଆସି କାମୁଡ଼ି ଦେଇଥିଲା ।
ଲୋକମାନେ ସାପକୁ ଦେଖି ଚଳନ୍ତା ଟ୍ରେନରେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଦେଲେ । କେହି ଜଣେ ଯାତ୍ରୀ ଏ ଘଟଣାର ସୂଚନା ରେଳବାଇ ପୋଲିସର ହେଲ୍ପ ଲାଇନ୍ ନମ୍ବରକୁ ଫୋନ୍ କରି ଜଣାଇଦେଲେ । ଠିକ୍ ଅଧଘଣ୍ଟା ପରେ ଯେତେବେଳେ ଟ୍ରେନ୍ ଗ୍ୱାଲିଅର ପହଞ୍ଚିଥିଲା । ସେତେବେଳେ ଟ୍ରେନ୍ରୁ ଭଗବାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଥିଲା । ଟ୍ରେନ୍ରେ ସାପ କେମିତି ଆସିଲା ସେ ବାବଦରେ ଟ୍ରେନ୍ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏଥିରେ କୌଣସି ଦୁଷ୍ଟ ପ୍ରକୃତି ଲୋକର ସମ୍ପୃକ୍ତି ଅଛି, ନଚେତ୍ ଟ୍ରେନ ଭିତରକୁ ସାପ ଆସିବା ସମ୍ଭବପର ନୁହେଁ ।