fbpx

ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସାପ ପକାଇ ହେଉଛି ଷଡଯନ୍ତ୍ର: ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ବଦନାମ କରିବାର ଲକ୍ଷ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାକୁ ନେଇ ଆରମ୍ଭ ହୋଇଛି ଏକ ବଡ ଷଡଯନ୍ତ୍ର । ସ୍କୁଲ ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ସାପ ମିଶାଇ ଏହି ଯୋଜନାକୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଇଛି । ଗତ ମେ ୨୭ ତାରିଖରେ ବିହାର ଜୋଗବନୀ ଅଞ୍ଚଳର ଅମୌନା ମଧ୍ୟ ବିଦ୍ୟାଳୟରେ ଏଭଳି ଏକ କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ମଧ୍ୟାହ୍ନ ଭୋଜନରେ ସାପ ମିଳିବା ପରେ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ କାଣ୍ଡ ପଛରେ ବିରାଟ ବଡ ଷଡଯନ୍ତ୍ର ରହିଥିବା ସୂଚନା ମିଳିଛି ।

ରିପୋର୍ଟରୁ ଜଣାଯାଇଛି ଯେ, ସ୍କୁଲର ରୋଷେୟା ମେହଋନ ନିଶାଙ୍କ ପତି ମୁର୍ତଜା ଜାଣି ଜାଣି ମଧ୍ୟାହ୍ନ ଭୋଜନରେ ସାପ ପକାଇ ଦେଇଥିବା ଜଣାଯାଇଛି । ପୋଲିସ ତରଫରୁ କୁହାଯାଇଛି ଯେ, ସରକାରଙ୍କ ପିଏମ ପୋଷଣ ଯୋଜନାକୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର । ତେବେ ଏ ନେଇ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରାଯାଇଥିବା କହିଛନ୍ତି ଜୋଗବନୀ ଥାନା ଅଧିକାରୀ ଭଗତଲାଲ ମଣ୍ଡଳ । ପିଏମ ପୋଷଣ ଯୋଜନାକୁ ବଦନାମ କରିବା ସହ ଆଇନଗତ ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । ଏଭଳି ଏକ ଜଘନ୍ୟ ଅପରାଧ ପାଇଁ ରୋଷେୟା ଏବଂ ତାଙ୍କ ପତିଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ ଉଭୟ ଏବେ ପର୍ଯ୍ୟନ୍ତ ଫେରାର ରହିଛନ୍ତି ।

ସୂଚନା ଅନୁଯାୟୀ, ୧୮ ଜଣ ପିଲା ଖାଦ୍ୟ ଖାଇବା ପରେ ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ସାପ ବାହାରିଥିଲା । ଏହା ଏକ ଯୋଜନାବଦ୍ଧ ଭାବରେ ହୋଇଥିବା ଷଡଯନ୍ତ୍ର ବୋଲି କୁହାଯାଇଛି । ତେବେ ୧୯ ଜଣ ପିଲା ଏହି ଖାଦ୍ୟ ଖାଇଥିବା ବେଳେ ୧୦୦ ପିଲା ଚିକିତ୍ସା ପାଇଁ ଫାରବିସଗଞ୍ଜ ଅନୁମଣ୍ଡଳ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ପରୀକ୍ଷା ଏବଂ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା କୁହାଯାଇଛି ।

Get real time updates directly on you device, subscribe now.