fbpx

ଆଜି ଶ୍ରୀଜିଉଙ୍କ ମହାସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ଗଜାନନ ବେଶରେ ଦର୍ଶନ ଦେବେ ତିନିଠାକୁର

ପୁରୀ, (ଓଡ଼ିଶା ଭାସ୍କର) : ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ବିଶ୍ୱ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର ସୂଚନା ଦେଇଛନ୍ତି । ସେହିପରି ସ୍ନାନଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, ପ୍ରଶାସନିକ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କାର୍ଯ୍ୟ ସମାପ୍ତ ହୋଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତବର୍ଷ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ପୂର୍ବ ଭଳି ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଭକ୍ତ ବିହୀନ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀକୁ ଚୂନରେ ରଙ୍ଗ କରାଯାଇଛି । ଏଥିସହ ସ୍ନାନବେଦୀକୁ ଉଜ୍ଜଳ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ବୁଧବାରଠାରୁ ଦଇତାପତି ମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି ବିଗ୍ରହମାନଙ୍କର ସେନାପଟା ଲାଗି ନୀତିକାନ୍ତି ସମାପନ କରିଛନ୍ତି ।

ଅନ୍ୟପକ୍ଷରେ ଜନସମାଗମକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ୧୪୪ ଧାରା ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ ତ୍ରିସ୍ତରୀୟ କଡାସୁରକ୍ଷା ବଳ ମଧ୍ୟରେ ରଖାଯାଇଛି । ତେବେ ଚଳିତ ବର୍ଷ ଗଜପତି ମହାରାଜ ଦିବ୍ୟସିଂହ ହେବ ସ୍ନାନବେଦୀରେ ଛେରାପହଁରା କରିବେ ନାହିଁ । ମୁଦିରସ୍ତ ଛେରାପହଁରା କରିବେ ବୋଲି ଗଜପତି ଲିଖିତ ରୂପେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ବୁଧବାର ମଧ୍ୟରାତ୍ରରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ରାତ୍ର ୧ଟାରେ ମଙ୍ଗଳାର୍ପଣ ନୀତି ପରେ ଡୋର ଲାଗି ପୁଷ୍ପାଞ୍ଜଳି ହୋଇ ରାତ୍ର ୧ଟାରୁ ବିଗ୍ରହମାନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ଭୋର ୪ଟା ମଧ୍ୟରେ ରତ୍ନ ସିଂହାସନରୁ ଦଇତାପତିଙ୍କ ଗହଣରେ ବିଗ୍ରହମାନେ ଧାଡି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି । ଭୋର ୪ଟାରେ ପହଣ୍ଡି ଶେଷ ହୋଇଛି। ପରେ ମହାପ୍ରଭୁଙ୍କର ମଇଲମ, ତଡପଲାଗି, ଅଧରପୋଛା, ଅବକାଶ, ରୋଷହୋମ, ବେଶ ଶେଷ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଆଦି ନୀତିକାନ୍ତି ସଂପନ୍ନ ହେବ । ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ବିଗ୍ରହମାନଙ୍କର ପବିତ୍ର ଜଳ ବିଜେ, ପୂଜା ଓ ସ୍ନାନ ନୀତିକାନ୍ତି ଅନୁଷ୍ଠିତ ହେବ ।

ସେହିପରି ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ଅନୁଷ୍ଠିତ ହେବ । ସକାଳ ୧୦ଟା ୩୦ରେ ସ୍ନାନ ବେଦୀରେ ଛେରାପହଁରା ନୀତି ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ବିଗ୍ରହମାନେ ସୋଲରେ ନିର୍ମିତ ହାତୀ ବେଶରେ ସଜ୍ଜିତ ହେବେ । ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢୀବନ୍ଧା, ଅପରାହ୍ନ ୧ଟା ରୁ ୩ଟା ଘଣ୍ଟ, ଛତା ସକାଳ ଧୂନୀତି ହେବା ପରେ ସାହାଣମେଲା ନୀତି ଅନୁଷ୍ଠିତ ହେବ । ତେବେ କରୋନା କଟକଣା ଯୋଗୁଁ ଚଳିତବର୍ଷ ସାହାଣମେଲାରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୪ଟାରେ ମହାପ୍ରଭୁଙ୍କର ଦୁଲର୍ଭ ହାତୀବେଶ ଅନୁଷ୍ଠିତ ହେବ ।

ଅପରାହ୍ନ ୪ଟା୩୦ରେ ମଇଲମ, ପୁଷ୍ପାଞ୍ଜଳି ଡୋରଲାଗି ,ନୀତି ଅନୁଷ୍ଠିତ ହେବା ପରେ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ଆରମ୍ଭ ହେବ । ରାତ୍ର ୮ଟାରେ ପହଣ୍ଡି ଶେଷ ହେବ । ସୁନାଚିତା ଓ ରାହୁରେଖା ମଇଲମ ରାତ୍ର ୮ଟା ୩୦, ତାଟିବନ୍ଧା ରାତ୍ର ୯ଟାରୁ ୧୨ଟା, ଦଶାବତାର ବିଜେ ରାତ୍ର ୧୨ଟା ୩୦, ମହାସ୍ନାନ ରାତ୍ର ୧ଟା, ମଇଲମ ବେଶ ୧ଟା ୩୦, ମଧ୍ୟାହ୍ନ ଧୂ ରାତ୍ର ୨ଟାରୁ ୩ଟା,ଦକ୍ଷିଣଘର ଭୋଗ ରାତ୍ର ୩ ଟା ୩୦, ଜୟବିଜୟ ଦ୍ୱାର ବନ୍ଦ ଓ ବେହେରଣ ଦ୍ୱାର ଫିଟିବା ୩ଟା୩୦, ଅନବସର ନୀତି ୪ଟା, ପଣାଭୋଗ ୪ଟା ୫୦, ବେହେରଣ ଦ୍ୱାର ବନ୍ଦ ଓ ଜୟବିଜୟ ଦ୍ୱାର ଫିଟିବା ପ୍ରାତଃ ୫ଟାରେ ସଂପନ୍ନ ହେବ ବୋଲି ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

ଦେବସ୍ନାନ ପୂର୍ଣ୍ଣିମାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ଏସପି ଡଃ କନୱର ଭିଶାଲ ସିଂ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ସମେତ ସହର ଓ ଏହାର ସମସ୍ତ ପ୍ରବେଶ ପଥକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସୁରକ୍ଷା ନିମନ୍ତେ ୩୫ପ୍ଲାଟୁନ୍‌ ପୁଲିସ ଫୋର୍ସ, ୫୩୦ ହୋମଗାର୍ଡ, ସବଇନ୍ସପେକ୍ଟର ଓ ଏଏସଆଇ ର‌୍ୟାଙ୍ଗର ୧୬୦ ପୁଲିସ ଅଧିକାରୀ, ଇନ୍ସପେକ୍ଟର ଓ ଆରଆଇ ର‌୍ୟାଙ୍କର ୪୪ ଅଧିକାରୀ, ଡିଏସପି ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ର‌୍ୟାଙ୍କର ୨୦ଜଣ ଅଧିକାରୀ ମୁତୟନ ହୋଇଥିବା ବେଳେ ତଦାରଖ କରିବା ପାଇଁ ୬ଜଣ ଅତିରିକ୍ତ ଏସ୍‌ପି ଦାୟିତ୍ୱରେ ରହିଛନ୍ତି । ସହରର ପ୍ରବେଶ ପଥଗୁଡିକୁ ବ୍ୟାରିକେଡ କରାଯାଇ ସିଲ୍‌ କରାଯାଇଛି । ସହରର ୫ଟି ସ୍ଥାନରେ ପ୍ରବେଶ ପଥ ନିମନ୍ତେ ସ୍ୱତନ୍ତ୍ର ବ୍ୟାରିକେଡ ଓ ଚେକ୍‌ ପଏଣ୍ଟ ନିର୍ମାଣ କରାଯାଇଛି ।

ସେଗୁଡିକ ମଧ୍ୟରେ ମଙ୍ଗଳାଘାଟ ଛକ, ବାଟ ଗାଁ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ମାଳତୀପାଟପୁର, ପୁରୀ-କୋଣାର୍କ ଗ୍ରୀଡ ଷ୍ଟେସନ ରାସ୍ତା ଓ ହୋଟେଲ ତୋସାଳି ସ୍ୟାଣ୍ଡ ଛକ ରହିଛି । ସେହିରି ସହରର ବିଭିନ୍ନ ଗୁରୁତ୍ୱୂର୍ଣ୍ଣ ସ୍ଥାନ, କ୍ରସିଂ, ଭିଡ ନିୟନ୍ତ୍ରଣ ଏବଂ ଅନଧିକୃତ ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ପ୍ରବେଶକୁ ରୋକିବା ପାଇଁ ୧୨ଟି ସିସିଟିଭି ସ୍ଥାପନ କରାଯାଇଛି। ବଡଦାଣ୍ଡକୁ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ।

Get real time updates directly on you device, subscribe now.