ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଟି-୨୦ ଟ୍ରଫି ପାଇଁ ଆରମ୍ଭ ହୋଇଯାଇଛି ବିଶ୍ୱଯୁଦ୍ଧ । ଚଳିତ ବର୍ଷ ଏହା ଅଷ୍ଟମ ସିଜନରେ ପହଞ୍ଚିଛି । ତେବେ ଏହାମଧ୍ୟରେ ୱେଷ୍ଟଇଣ୍ଡିଜ ସର୍ବାଧିକ ୨ଟି ଟ୍ରଫି ନିଜ ଦେଶକୁ ନେଇଥିବା ବେଳେ ଅନ୍ୟ କୌଣସି ଦଳ ଏହି କାରନାମା କରି ପାରି ନାହାନ୍ତି । କିନ୍ତୁ ବିଭିନ୍ନ ଦେଶର ଖେଳାଳି ଟି-୨୦ ବିଶ୍ୱକପରେ ବିଭିନ୍ନ ଚମତ୍କାର କରି ଦେଖାଇଛନ୍ତି । ଯାହା ଆଜି ବି ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହୋଇ ରହିଛି । ଯେଉଁ ରେକର୍ଡକୁ ଆଜି ପର୍ଯ୍ୟନ୍ତ କୌଣସି ଖେଳାଳି ଭାଙ୍ଗିିବାରେ ସଫଳ ହୋଇନାହାନ୍ତି । ତେବେ ଆସନ୍ତୁ ଆଜି ଏହି ବିଶାଳ ରେକର୍ଡ ଗୁଡିକ ଉପରେ ନଜର ପକାଇବା ।
୧- ୱିକେଟ ପଛରେ ମହେନ୍ଦ୍ର ସିଂହ ଧୋନୀଙ୍କ ଶିକ୍ୟା
ଭାରତର ପୂର୍ବ ଅଧିନାୟକ ଧୋନୀଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ ୱିକେଟ କିପର ବୋଲି ମଧ୍ୟ ଜଣାଯାଏ । ୱିକେଟ ପଛରୁ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇବାର ସେ ସାଜିଥାନ୍ତି ସୁତ୍ରଧର । ତେବେ ମାହିଙ୍କ ନାଁରେ ଟି-୨୦ ବିଶ୍ବକପରେ ୱିକେଟ କିପର ଭାବେ ସର୍ବାଧିକ ଶିକାର କରିବାର ରେକର୍ଡ ମଧ୍ୟ ରହିଛି । ସେ ଟି-୨୦ ବିଶ୍ୱକପରେ ସର୍ବାଦିକ ୩୨ ଜଣ ଖେଳାଳିଙ୍କୁ ଆଉଟ କରିଛନ୍ତି ।
୨- ୱେଷ୍ଟଇଣ୍ଡିଜ ସବୁଠୁ ସଫଳ ଦଳ:
ଟି-୨୦ ବିଶ୍ବକପରେ ସର୍ବାଧିକ ଥର ଚମ୍ପିଆନ ହୋଇଛି ୱେଷ୍ଟଇଣ୍ଡିଜ । ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ, ଇଂଲଣ୍ଡ ଥରେ ଲେଖାଏଁ ଏହି ଟ୍ରପିକୁ ନିଜର କରିଥିବା ବେଳେ ଏକ ମାତ୍ର ଦଳ ଭାବରେ ୱେଷ୍ଟଇଣ୍ଡିଜ ଏହି ଟ୍ରଫି ଦୁଇ ଥର ହାସଲ କରିଛି । ତେବେ ସାଉଥ ଆଫ୍ରିକା ଭଳି ଏକ ଶକ୍ତିଶାଳୀ ଦଳ ପାଇଁ ଏବେ ପର୍ଯ୍ୟନ୍ତ ଏହି ଟ୍ରଫି ସ୍ୱପ୍ନ ହୋଇ ରହିଛି ।
୩- ଏ ବି ଡିଭିଲିୟର୍ସଙ୍କ ନାଁରେ ସବୁଠୁ ଅଧିକ କ୍ୟାଚ:
ଜଣ୍ଟ ରୋଡ୍ସଙ୍କ ଭଳି ଏ ବି ଡିଭିଲିୟର୍ସଙ୍କୁ ମଧ୍ୟ ସେଫ ହ୍ୟାଣ୍ଡ ବୋଲି ଆଖ୍ୟା ଦିଆଯାଏ । ତାଙ୍କ କ୍ରିକେଟ କ୍ୟାରିୟରରେ ବହୁତ କମ୍ କ୍ୟାଚ ସେ ହାତଛଡା କରିଛନ୍ତି । ତେବେ ଏହାଭିତରେ ସେ ବିଶ୍ବକପର ସର୍ବାଧିକ କ୍ୟାଚ ନେବାର ରେକର୍ଡ ନିଜ ନାମରେ କରିଛନ୍ତି । ଟି-୨୦ ବିଶ୍ବକପରେ ସେ ମୋଟ ୨୩ଟି କ୍ୟାଚ ନେଇ ରେକର୍ଡ ସୃଷ୍ଟି କରିଛନ୍ତି ।
୪- ବିଶ୍ବକପରେ ଶତକ:
ଟି-୨୦ ବିଶ୍ୱକପ ଇତିହାସରେ ଆଜି ପର୍ଯ୍ୟନ୍ତ କେବଳ ଜଣେ ଖେଳାଳି ଶତକ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜରଷ୍ୟାର ବ୍ୟାଟ୍ସମ୍ୟାନ ତଥା ୟୁନିଭର୍ସ ବସ୍ ବୋଲି ପରିଚିତ କ୍ରିସ ଗେଲଙ୍କ ନାଁରେ ରହିଛି ଏହି ରେକର୍ଡ । ତେବେ ଥରେ ନୁହେଁ, ସେ ଦୁଇ ଦୁଇ ଥର ଏହି କାରନାମା କରିଛନ୍ତି । ୨୦୦୭ରେ ପ୍ରଥମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ଲଗାଇଥିବା ବେଳେ ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିଥିଲେ କ୍ରିସ ଗେଲ ।
୫- ସର୍ବୋଚ୍ଚ ଟିମ ସ୍କୋର:
ୱାର୍ଲ୍ଡକପ ହିଷ୍ଟ୍ରିରେ ସର୍ବୋଚ୍ଚ ଦଳଗତ ସ୍କୋର ବନାଇବାର ରେକର୍ଡ ନିଜ ନାମରେ କରିଛି ଶ୍ରୀଲଙ୍କା । ୨୦୦୭ ମସିହାରେ କେନିଆ ବିରୋଧରେ ୬ ୱିକେଟ ହରାଇ ୨୬୦ରନର ପାହାଡ ଭଳି ସ୍କୋର ଛିଡା କରିଥିଲା ସିଂହଳି ଦଳ । କେବଳ ସେତିକି ନୁହେଁ ଏହି ମ୍ୟାଚକୁ ୧୭୨ ରନରେ ଶ୍ରୀଲଙ୍କା କବଜା କରିଥିଲା । ଯାହାର ରେକର୍ଡ ଆଜିବି ଇତିହାସ ହୋଇ ରହିଛି ।
୬- ସର୍ବାଧିକ ସ୍କୋର:
ବିଶ୍ବକପ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ବିଷୟରେ କୁହାଗଲେ ପ୍ରଥମରେ ରହିଛି ଶ୍ରଅୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କ ନାଁ । ବିଶ୍ୱକପରେ ସେ ମୋଟ ୧୦୧୬ ରନ କରି ଲିଷ୍ଟର ଟପରେ ସ୍ଥାନ ପାଇଛନ୍ତି । ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ କେହି ଛୁଇଁ ପାରନାହାନ୍ତି ।
୭- ସର୍ବାଧିକ ୱିକେଟ:
ବୋଲରମାନଙ୍କ ତାଲିକାରେ ରାଜୁତି କରୁଛନ୍ତି ବାଂଲାଦେଶର ଅଧିନାୟକ ଶାକିବ ଅଲ ହସନ । ବିଶ୍ୱକପ ରେକର୍ଡ କହୁଛି ଯେ, ଶାକିବ ହେଉଛନ୍ତି ଟୁର୍ଣ୍ଣାମେଣ୍ଟରେ ସବୁଠୁ ସଫଳ ବୋଲର । ଆଜି ପର୍ଯ୍ୟନ୍ତ ସେ ମୋଟ ୪୧ଟି ଶିକାର କରିସାରିଛନ୍ତି । ତେବେ ଚଳତବର୍ଷ ବାଂଲାଦେଶ ତାଙ୍କ ନେତୃତ୍ୱରେ ମୁକାବିଲା କରିବାକୁ ଯାଉଛି ।
୮- ବିଶ୍ୱକପର ପ୍ରଥମ ହାଟ୍ରିକ:
୨୦୦୭ରେ ଆରମ୍ଭ ହୋଇଥିଲା ଟି-୨୦ ବିଶ୍ୱକପ । ତେଣୁ ଅନେକ ରେକର୍ଡ ଏହି ଟୁର୍ଣ୍ଣାମେଣ୍ଟରେ ସୃଷ୍ଟି ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର ବୋଲର ବ୍ରେଟ ଲି’ ହାସଲ କରିଥିଲେ ପ୍ରଥମ ହାଟ୍ରିକ । ବାଂଲାଦେଶ ବିପକ୍ଷରେ ବୋଲିଂ କରି ସେ ହାଟ୍ରିକ ୱିକେଟ ନିଜ ନାମରେ କରିଥିଲେ । ଶାକିବ ଅଲ ହସନ, ମସରଫେ ମୋର୍ତାଜା ଏବଂ ଆଲୋକା କପାଲିଙ୍କୁ ଶିକାର କରି ଏହି ହାଟ୍ରିକ ପୁରା କରିଥିଲେ ବ୍ରେଟ ଲି’ ।
୯- ୬ ବଲରେ ୬ ଛକା:
ଗୋଟିଏ ଓଭରରେ ୬ଟି ଛକା କଥା କହିଲେ କେବଳ ଗୋଟିଏ ହିଁ ନାଁ ସାମନାକୁ ଆସେ, ୟୁବରାଜ ସିଂହ । ୨୦୦୭ରେ ଷ୍ଟୁଆର୍ଟ ବ୍ରଡଙ୍କର ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ ୟୁବରାଜ । ଫ୍ଲିଣ୍ଟଫଙ୍କ ସହ ଯୁକ୍ତି ପରେ ଇଂଲଣ୍ଡ ଦଳକୁ ଟାର୍ଗେଟ କରିଥିଲେ ୟୁଭି । ପଡିଆର ସବୁ ଦିଗକୁ ଛକା ମାରି ମାତ୍ର ୧୨ଟି ବଲରେ ସେ ନିଜ ଅର୍ଦ୍ଧଶତକ ହାସଲ କରିଥିଲେ । ଯାହା ଆଜି ପର୍ଯ୍ୟନ୍ତ ରେକର୍ହ ହୋଇ ରହିଛି ।
୧୦- ବିଶ୍ୱକପର ପ୍ରଥମ ବୋଲ-ଆଉଟ ମେଥଡ:
ଟି-୨୦ ୱାର୍ଲ୍ଡକପରେ ପ୍ରଥମ ଥର ପାଇଁ ଏକ ନୂଆ ନିୟମ ଦେଖିବାକୁ ମିଳିଥିଲା । ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚ ଟାଏ ହେବା ପରେ ଏହାର ବିଜେତା ଘୋଷଣା କରିବା ପାଇଁ ବୋଲ-ଆଉଟ ମେଥଡ ନିୟମ ଲାଗୁ ହୋଇଥିଲା । ଏଥିରେ ଭାରତ ବିଜୟ ହାସଲ କରିବାରୁ ମ୍ୟାଚରେ ବିଜୟ ଟୀକା ପିନ୍ଧିଥିଲା ଧୋନୀ ବାହିନୀ । କିନ୍ତୁ ଏହାପରେ କୌଣସି ଇଣ୍ଟରନେସନାଲ ମ୍ୟାଚରେ ଏହାକୁ ବ୍ୟବହାର ହୋଇନାହିଁ । ତେବେ ବର୍ତ୍ତମାନ ଟାଏ ମ୍ୟାଚର ନିଣ୍ଣୟ ପାଇଁ ସୁପର ଓଭର ଖେଳା ଯାଉଛି ।
ଏ ଥିଲା ଟି-୨୦ ବିଶ୍ୱକପର କିଛି ଅଭୁଲା ସ୍ମୃତି । ତେବେ କେବଳ ଏତିକି ନୁହେଁ, ଆହୁରି ଅନେକ ଘଟଣା ବିଶ୍ୱକପ ଇତିହାସରେ ରହିଛି ଯାହା ଲୋକଙ୍କ ମନରେ ଛାପି ହୋଇ ରହିଥିବ । ତେବେ ଚଳିତବର୍ଷ ବିଶ୍ବକପରେ କେଉଁ ପ୍ରକାର ରେକର୍ଡ ସୃଷ୍ଟି ହେଉଛି ଏବଂ କେଉଁ ରେକର୍ଡ ଭାଙ୍ଗୁଛି ତାହାକୁ ଅପେକ୍ଷା ।