“ମୋ ପୁଅ ବୋହୁ ମତେ ଜୀବନରୁ ମାରିଦେବେ”, କାନ୍ଦି କାନ୍ଦି କହିଲେ ମହିଳା

ସମ୍ପତ୍ତି ପାଇଁ ବୃଦ୍ଧା ମା'ଙ୍କୁ ଘରୁ ବାହାର କରିଦେଲେ ପୁଅ-ବୋହୁ

ଉତ୍ତରପ୍ରଦେଶ: ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ବୋହୁ ଜୀବନକୁ କରିଦେଲେ ଦୁର୍ବିସହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କାନପୁର ଦେହାତରୁ। ଯେଉଁଥିରେ ପୁଅ ବୋହୁ ମିଶି ମାଆକୁ ପାଗଳ ସଜେଇ ଘରୁ ବାହାର କରିଦେଇଛନ୍ତି। ସେଥିପାଇଁ ମହିଳା ଜଣଙ୍କ ନ୍ୟାୟ ପାଇବା ଆଶାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଡିଏମ ଏବଂ ମହିଳା କମିଶନଙ୍କୁ ଚିଠି ଲେଖି ଆବେଦନ କରିଛନ୍ତି।

ରସୁଲାବାଦ ଅଞ୍ଚଳର ଲୋକମାନଙ୍କ କହିବା ଅନୁସାରେ, ବୋହୂ ରଜନୀ ଏବଂ ପୁଅ ଅଜୟ ତାଙ୍କ ମାଆଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ। କେବଳ ସେତିକି ନୁହେଁ, ପୁଅ ଏବଂ ବୋହୂ ମିଶି ତାଙ୍କୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ।

ମାଳତୀ ଦେବୀ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ତାଙ୍କ ପୁଅ ଏବଂ ବୋହୂ ତାଙ୍କୁ ପ୍ରତିଦିନ ହଇରାଣ କରୁଥିଲେ। ସେ ଆକାଉଡିଆ ଗ୍ରାମର ବାସିନ୍ଦା। ତାଙ୍କ ନିଜସ୍ୱ ଘର ଏବଂ ଜମି ଥିବା ସତ୍ତ୍ୱେ, ସେ ରାସ୍ତା କଡରେ ରହୁଛନ୍ତି ଏବଂ ଶ୍ରମିକ ଭଳି କାମ କରିବାକୁ ବାଧ୍ୟ ହେଉଛନ୍ତି।

ବୋହୂ ଏବଂ ପୁଅ ଅନେକ ଗୁଣ୍ଡାଙ୍କ ସହ ମିଶି ତାଙ୍କ ଘର ଏବଂ ଜମି ହଡ଼ପ କରିବାକୁ ଚାଁହୁଥିବାବେଳେ ଲୋଭୀ ବୋହୂ ଏବଂ ପୁଅ ଯେକୌଣସି ସମୟରେ ମୋତେ ହତ୍ୟା କରିପାରନ୍ତି ବୋଲି ସେ କହିଛନ୍ତି।