fbpx
BJD
BJD SKY
BJD SKY

ଏସିଏଫ ସୌମ୍ୟ ମୃତ୍ୟୁ ରହସ୍ୟ: କୋର୍ଟରେ ସମସ୍ତ କାଗଜପତ୍ର ଦାଖଲ କଲେ ସୌମ୍ୟଙ୍କ ବାପା, ପ୍ରତିପକ୍ଷଙ୍କୁ ଦିଆଗଲା ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ରାଜ୍ୟରେ ଖୁବ୍ ଚହଳ ପକାଇଥିବା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ପୂର୍ବରୁ ଏହି ମାମଲାର ଯାଞ୍ଚ କ୍ରାଇମବ୍ରାଞ୍ଚ କରିଥିଲେ ହେଁ ସୌମ୍ୟଙ୍କ ପରିବାରବର୍ଗ ଏନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏନେଇ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ ଦୀର୍ଘଦିନ ପରେ ପୁଣି ଖୋଲି ଥରେ ସୌମ୍ୟଙ୍କ ମାମଲାର ବିଚାର ଆରମ୍ଭ ହେବ । ଏନେଇ ଗତକାଲି ଓକିଲଙ୍କ ଜରିଆରେ ସୌମ୍ୟଙ୍କ ବାପା କୋର୍ଟରେ ସମସ୍ତ କାଗଜପତ୍ର ଦାଖଲ କରିଛନ୍ତି । ଗତ ୧୨ ତାରିଖରେ ଅଭିରାମ କୋର୍ଟରେ ସାକ୍ଷ୍ୟ ପ୍ରମାଣ ଦାଖଲ କରିଥିଲେ । ମାମଲାକୁ ଗ୍ରହଣ କରି ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଆସନ୍ତା ମାସ ୧୬ ତାରିଖରେ ଏସଡିଜେଏମ କୋର୍ଟରେ ହାଜର ହେବା ପାଇଁ ପ୍ରତିପକ୍ଷଙ୍କୁ ନୋଟିସ ଦିଆଯାଇଛି । ତେଣୁ କୋର୍ଟଙ୍କ ନିର୍ଦ୍ଦେଶ କ’ଣ ରହିବ ସେନେଇ ସମସ୍ତଙ୍କର ନଜର ରହିଛି ।

ସୂଚନାଯୋଗ୍ୟ ଯେ, ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗତ ୧୭ ତାରିଖରେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟ ସମନ ଜାରି କରିଥିଲେ । ଗତ ୨୦୨୧ ମସିହା ଜୁଲାଇ ମାସ ୧୨ ତାରିଖରେ ରାତିରେ ସୌମ୍ୟ ନିଆଁରେ ପୋଡ଼ି ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ୧୩ ତାରିଖ ଦିନ ସେ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । ଏହି ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସୌମ୍ୟଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ସୌମ୍ୟଙ୍କ ପତ୍ନୀଙ୍କ ସହିତ ଡିଏଫଓଙ୍କର ଖରାପ ସମ୍ପର୍କ ରହିଥିବା ସୌମ୍ୟଙ୍କ ବାପା ଅଭିଯୋଗ କରିଥିଲେ । ଏହି ଘଟଣାରେ ସୌମ୍ୟଙ୍କ ପରିବାର ବର୍ଗ ମୁଖ୍ୟମନ୍ତ୍ରୀ, ଡିଜପିଙ୍କ ନିକଟରେ ଗୁହାରି କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଥିଲେ ।

Get real time updates directly on you device, subscribe now.