fbpx

ସାଉଥ୍ ଫିଲ୍ମର ଚର୍ଚ୍ଚିତ ଖଳନାୟକ ଆଉ ନାହାନ୍ତି: ହାର୍ଟ ଆଟାକରେ କଜାନ ଖାନଙ୍କ ପରଲୋକ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ପୁଣି ଏକ ଦୁଃଖ ଖବର । ତିନି ଦିନ ତଳେ ତାମିଲ ଅଭିନେତା-ନିର୍ଦ୍ଦେଶକ ସରନ ରାଜଙ୍କର ପରଲୋକ ଘଟିଥିଲା । ଏହା ମଧ୍ୟରେ ମାଲୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତାଙ୍କର ମୃତ୍ୟୁ ଘଟିଛି । ଖଳନାୟକ ଭୂମିକାରେ ପରଦାରେ ଅଭିନୟ କରୁଥିବା କଜାନ ଖାନ ଆଉ ନାହାନ୍ତି । ହୃଦଘାତ କାରଣରୁ କଜାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କଜାନଙ୍କ ଆକସ୍ମିକ ମୃତ୍ୟୁରେ ତାଙ୍କର ବନ୍ଧୁ, ପରିଜନ ଓ ପ୍ରଶଂସକମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

କଜାନଙ୍କ ମୃତ୍ୟୁ ଖବର ଫିଲ୍ମ ନିର୍ମାତା ଏନ.ଏମ ବାଦୁଶା ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି । କଜାନଙ୍କ ଆକସ୍ମିକ ବିୟୋଗରେ ସାଉଥ୍ ଫିଲ୍ମ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି । ‘ସେନ୍ଥିମିଜ ପାଟ୍ଟୁ’ କଜାନଙ୍କର ପ୍ରଥମ ତାମିଲ ଫିଲ୍ମ ଥିଲା । ସେ ବିଭିନ୍ନ ଫିଲ୍ମରେ ଖଳନାୟକ ଭାବେ ଅବତୀର୍ଣ୍ଣ ହୋଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ୧୯୯୨ ମସିହାରେ ସେ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ।

୨୦୧୫ରେ ଆସିଥିବା ଫିଲ୍ମ ‘ଲୈଲା ଓ ଲୈଲା’ ଥିଲା କଜାନଙ୍କର ଶେଷ ଫିଲ୍ମ । ତା’ ପରଠାରୁ ତାଙ୍କୁ ଆଉ କୌଣସି ଫିଲ୍ମରେ ଦେଖିବାକୁ ମିଳିନଥିଲା । ସେ କେବେ ବି ତାଙ୍କର ଫିଲ୍ମ କ୍ୟାରିୟରରେ ବ୍ରେକ୍ ନେଇନଥିଲେ । ତେବେ କଜାନଙ୍କର ଅଚାନକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସେ ଦଶନ୍ଧି ଧରି ମାଲୟାଲମ, ତାମିଲ, କନ୍ନଡ଼ ଆଦି ବିଭିନ୍ନ ଭାଷାରେ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ।

Get real time updates directly on you device, subscribe now.