fbpx

ଇଂଲଣ୍ଡ ଉପରେ ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଚମ୍ପିଆନକୁ ୨୨୯ ବିଶାଳ ବ୍ୟବଧାନରେ ଦେଲା ଚକମା

ନୂଆଦିଲ୍ଲୀ: ପୂର୍ବ ଚମ୍ପିଆନ ଇଂଲଣ୍ଡକୁ ଏକ ବିଶାଳ ବ୍ୟଧାନରେ ଚକମା ଦେଇଛି ଦକ୍ଷିଣ ଆଫ୍ରିକା । ବିଶ୍ୱକପର ୨୧ତମ ମ୍ୟାଚରେ ନିଜର ଦମ୍ ଦେଖାଇଛି ସାଉଥ ଆଫ୍ରିକା । ମାତ୍ର ୧୭୦ ରନରେ ଇଂଲଣ୍ଡକୁ ଅଳ ଆଉଟ କରି ବିଶ୍ୱକପରେ ଏକ ବିଶାଳ ବିଜୟ ନିଜ ନାମରେ କରିଛି ବାଭୂମା ସେନା । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ ଶକ୍ତିଶାଳୀ ପ୍ରଦର୍ଶନ କରି ସାଉଥ ଆଫ୍ରିକା ଏହି ଐତିହାସିକ ବିଜୟ ନିଜ ନାମରେ କରିଛି । ହେନରୀ କ୍ଲାସେନଙ୍କ ଶତକ ଏବଂ ଦଳର ବୋଲିଂ ୟୁନିଟ ଦଳ ପାଇଁ ବିଶାଳ ବିଜୟ ଭେଟି ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ବଟଲର ବାହିନୀ । ଷ୍ଟାର ବୋଲର ମାର୍କ ଉଡ ଏବଂ ଅଟକିନସନଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ୨୦ ଅତିକ୍ରମ କରିପାରି ନାହାନ୍ତି । ମାର୍କ ଉଡ ୪୩ ରନ୍ କରି ଅପରାଜିତ ରହିଥିବା ବେଳେ ଅଟକିନସନ ୩୫ ରନ୍ କରି ପାଭିଲିୟନ ଫେରିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ଇଂଲଣ୍ଡ ଇନିଂସର ସର୍ବବୃହତ୍ ପାର୍ଟନରସିପ ଦେଖିବାକୁ ମିଳିଛି । ଉଭୟ କ୍ରିଜରେ ରହି ୭୦ ରନ ଯୋଡ଼ିଥିଲେ । କିନ୍ତୁ ଇଂଲଣ୍ଡକୁ ବିଜୟ ଦେବାରେ ଫେଲ ମାରିଛି ଦଳର ବ୍ୟାଟିଂ ବିଭାଗ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଆଗରେ ଇଂଲଣ୍ଡର ବୋଲର ମଧ୍ୟ ନିରସ୍ତ୍ର ହୋଇଥିଲେ । ହେନରୀ କ୍ଲାସେନଙ୍କ ଶତକ ସହ ରିଜା ହେଣ୍ଡ୍ରିକ୍ସ ଏବଂ ଡୁସେନଙ୍କ ଅର୍ଦ୍ଧଶତକ ଇଂଲଣ୍ଡକୁ ୪୦୦ ରନର ବିଶାଳ ଲକ୍ଷ୍ୟ ଦେଇଥିଲା । ଯାହାକୁ ପିଛା କରି ଇଂଲଣ୍ଡ ମାତ୍ର ୧୭୦ରନରେ ଅଲଆଉଟ ହୋଇଥିବା ବେଳେ ୨୨୯ ରନ୍ ବ୍ୟବଧାନରେ ବିଜୟ ହାସଲ କରିଛି ସାଉଥ ଆଫ୍ରିକା ।

ତେବେ ବ୍ୟାଟିଂ ପରେ ଦକ୍ଷିଣ ଆଫ୍ରିକାର ବୋଲର ମଧ୍ୟ ଇଂଲଣ୍ଡ ଉପରେ ଭାରୀ ପଡ଼ିଛନ୍ତି । ଦଳର ୫ ଜଣ ବୋଲର ଏହି ମ୍ୟାଚରେ ବୋଲିଂ କରୁଥିବା ବେଳେ ସମସ୍ତ ବୋଲର ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ତେବେ ଜିରାଲ୍ଡ କଟଜୀ ସର୍ବାଧିକ ୩ଟି ୱିକେଟ ନିଜ ନାମରେ କରିଥିବା ବେଳେ ଏନଗିଡି ଏବଂ ମାର୍କୋ ଜାନସେନ୍ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଏହାବ୍ୟତୀତ କାଗିସୋ ରାବାଡା ଏବଂ କେଶବ ମହାରାଜ ଗୋଟିଏ ଲେଖାଏଁ ସଫଳତା ହାସଲ କରି ସାଉଥ ଆଫ୍ରିକାକୁ ବିଜୟୀ କରାଇଛନ୍ତି । ଏହି ବିଜୟ ପରେ ୪ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ପାଦ ଥାପିଛି ଦକ୍ଷିଣ ଆଫ୍ରିକା ।

Get real time updates directly on you device, subscribe now.