ବଜେଟ୍ ଅଧିବେଶନ: ବାଚସ୍ପତିଙ୍କ ପୋଡିୟମକୁ ମାଡିଆସିଲେ ବିରୋଧୀ, ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ
ବିଜୁ ବାବୁଙ୍କ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କର ହଟ୍ଟଗୋଳ।
ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା । ବାଚସ୍ପତି ଦିନ 12ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ।
ବାତସ୍ପତିଙ୍କ ପୋଡିୟମ ନିକଟକୁ ଆସି ବିରୋଧୀ ହଟ୍ଟଗୋଳ କରିଥିଲେ । ପଞ୍ଚାୟତିରାଜ ଦିବସରେ ବିଜୁବାବୁଙ୍କର ଜୟନ୍ତି ପାଳନ ନକରିବା ପ୍ରସଙ୍ଗକୁ ମୁଦ୍ଦା କରିଥିଲେ ବିରୋଧୀ । ବିଜୁ ବାବୁଙ୍କୁ ଅସମ୍ମାନ ଚଳିବ ନାହିଁ ବୋଲି ବିରୋଧୀ ପୋଡିୟମ ନିକଟକୁ ଆସି ଗର୍ଜିଥିଲେ ।
ତେବେ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ସେମାନେ ଶୁଣି ନଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ 12 ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ।
କହିରଖୁଛୁ କି, ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ବିରୋଧ ଦେଖାଯାଇଥିଲା । ନାରୀ ଅସୁରକ୍ଷିତ ଅଭିଯୋଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରିଥିଲା । ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ କଂଗ୍ରେସ କର୍ମୀମାନେ ଧାରଣା ଦେଇଥିଲେ ।
ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କଂଗ୍ରେସ ଏହି ମୁଦ୍ଦା ନେଇ ବିରୋଧ କରିଥିବା ବେଳେ ବିଜେଡି ବିଜୁ ବାବୁଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ଆଣି ହଙ୍ଗାମା କରିଥିଲା ।