fbpx

ରାମଭକ୍ତଙ୍କ ପାଇଁ ଖୁସି ଖବର: ରାମନବମୀରେ ରାମଲାଲାଙ୍କ ଦର୍ଶନ ପାଇଁ କରାଯିବ ଖାସ୍ ବ୍ୟବସ୍ଥା

ଅଯୋଧ୍ୟା:ଅଯୋଧ୍ୟାରେ ଏଥର ରାମନବମୀ ଉତ୍ସବ ସବୁଠାରୁ ଖାସ୍ ରହିବ । ଏହି ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ଆସିବେ । ଏହାକୁ ଲକ୍ଷ୍ୟରେ ରଖି ୧୫ ଏପ୍ରିଲରୁ ରାମନବମୀ ଅର୍ଥାତ୍ ୧୭ ଏପ୍ରିଲ ପର୍ଯ୍ୟନ୍ତ ଶ୍ରୀରାମ ଜନ୍ମଭୂମି ମନ୍ଦିର ୨୪ ଘଣ୍ଟା ଖୋଲା ରହିବ । ଦିନ ହେଉ କି ରାତି ସବୁ ସମୟରେ ରାମ ଭକ୍ତ ନିଜ ଆରାଧ୍ୟଙ୍କୁ ଦର୍ଶନ କରିପାରିବେ ।

ଏହା ବ୍ୟତିତ ଆବଶ୍ୟକ ପଡିଲେ ରାମନବମୀର ପରବର୍ତ୍ତୀ ଦିନ ଅର୍ଥାତ୍ ଏପ୍ରିଲ ୧୮ରେ ବି ରାମଲାଲାଙ୍କ ମନ୍ଦିର ୨୪ ଘଣ୍ଟା ଖୋଲା ରହିପାରେ । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ବଡ ସଂଖ୍ୟାରେ ଆଗମନକୁ ଲକ୍ଷ୍ୟରେ ରଖି ଅଯୋଧ୍ୟା ପ୍ରଶାସନର ବରିଷ୍ଠ ଅଧିକାରୀ ନିୟମିତ ବୈଠକ କରି ପ୍ରସ୍ତୁତି ବିଷୟରେ ସମୀକ୍ଷା କରୁଛନ୍ତି ।

ଅଯୋଧ୍ୟାରେ ଏବେ ପ୍ରତିଦିନ ପ୍ରାୟ ୨ ଲକ୍ଷ ଭକ୍ତ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ବହୁ ସମୟରେ ଏହି ସଂଖ୍ୟା ୪ରୁ ୫ ଲକ୍ଷରେ ପହଞ୍ଚି ଯାଉଛି । ଏଇଥିରୁ ଅନୁମାନ ଲଗାଯାଉଛି କି ଯଦି ସାଧାରଣ ଦିନରେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଆସୁଛନ୍ତି ତେବେ ରାମନବମୀରେ କେତେ ବଡ ସଂଖ୍ୟାରେ ଭକ୍ତ ରାମଲାଲାଙ୍କ ଦର୍ଶନ ପାଇଁ ଆସିବେ ।
ତେଣୁ ଏଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଅଯୋଧ୍ୟା ଡିଏମ୍ ନିତୀଶ କୁମାର କହିଛନ୍ତି ରାମନବମୀକୁ ଦୃଷ୍ଟିରେ ରଖି ବୈଠକ ଆୟୋଜନ ହୋଇଛି । ଶ୍ରଦ୍ଧାଳୁଙ୍କ ସଂଖ୍ୟା ହନୁମାନଗଡୀ ଓ ରାମ ଜନ୍ମଭୂମିରେ କ’ଣ ରହିବ ସେହି ଦୃଷ୍ଟିକୋଣରୁ ପ୍ରସ୍ତୁତି କରାଯାଉଛି । ରାମନବମୀ ଅବସରରେ ଏ ପର୍ଯ୍ୟନ୍ତ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଅନୁମାନ ଲଗାଯାଇଛି ।

Get real time updates directly on you device, subscribe now.