fbpx

ମାଳିରେ ମାଳିରେ କଳାମାଧବ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ନିଆରା କଳାକୃତି

ଭୁବନେଶ୍ୱର: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ମାଉସୀ ମା’ ଘରେ ଲୀଳା ଶେଷ କରି ଆସନ୍ତାକାଲି ପୁଣି ବଡ ଦେଉଳକୁ ବାହୁଡିବେ ତିନି ଠାକୁର । ତେଣୁ କଳାଦିଅଁଙ୍କ ଏହି ପବିତ୍ର ଯାତ୍ରା ପାଇଁ ପୁଣି ଥରେ ଭକ୍ତର ମନ ଉଚ୍ଛନ ହୋଇ ଉଠିଛି । ମହାବାହୁଙ୍କ ପ୍ରେମର ରାସରେ ଭାସି ଉଠିଛି କୋଟି କୋଟି ଭକ୍ତଙ୍କ ହୃଦୟ । ଆଉ ସେହି ଭକ୍ତିରେ କିଏ ବାଲିରେ ରଥ ଗଢୁଛି ତ ଆଉ କିଏ ଯୋଜନ ଯୋଜନ ଦୂରରୁ ଯାଚେ ନଡିଆ । ସେହପରି ଜଣେ ଭକ୍ତ ତାଙ୍କ ନିଆରା କଳାକୃତିରେ ତିନି ଭାଇ ଭଉଣୀଙ୍କୁ ସ୍ଥାନ ଦେଇଛନ୍ତି ।

ଗ୍ରାନ୍ୟୁଲ ଆର୍ଟ ମାଧ୍ୟମରେ ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ସହିତ ପ୍ରଭୁଙ୍କ ନନ୍ଦିଘୋଷ ରଥକୁ ସେ ଜୀବନ୍ତ କରି ଦେଇଛନ୍ତି । ବାହୁଡା ଯାତ୍ରା ଉପଲକ୍ଷେ ପ୍ରଭୁଙ୍କର ଏହି ଅପୂର୍ବ ମୁରତୀକୁ ଗଢି ଦେଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ଏହି ଚିତ୍ରକଳାରେ ସେ ନନ୍ଦିଘୋଷ ରଥରେ ବିଶ୍ୱବିଜୟୀଙ୍କୁ ବିଜେ କରାଇଛନ୍ତି । ତାଙ୍କର ଏହି ଚିତ୍ରକଳାରେ ହୋଇଥିବା ରଥର ଉଚ୍ଚତା ରହିଛି ୮.୫ ଫୁଟ ଏବଂ ୪ ଓସାର ।

ରଥରେ ବିରାଜମାନ ଭାବଗ୍ରାହୀଙ୍କ ଚକାଆଖିରେ ସେ ଜ୍ୟେଷ୍ଠଭ୍ରାତା ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସ୍ଥାନ ଦେଇଛନ୍ତି । ଅବିକଳ ନନ୍ଦିଘୋଷ ପରି ଦୃଶ୍ୟମାନ ହେଉଥିବା ଏହି କଳାକୃତି ସାଙ୍ଗକୁ ଦାରୁଦିଅଁଙ୍କ ଅପୂର୍ବ ଚେହେରା ସମସ୍ତଙ୍କ ମନ ମୋହୁଛି । ଏହି କଳାକୃତି କରିବା ପାଇଁ ପ୍ରିୟଙ୍କାଙ୍କୁ ୧ କୋଟିରୁ ଅଧିକ ମାଳିର ଆବଶ୍ୟକତା ପଡିଥିବା ବେଳେ ୧୭ ଦିନରୁ ଅଧିକ ସମୟ ଲାଗିଛି । ଏହି ଅଦ୍ଭୁତ ଚିତ୍ରକଳାରେ ମୋଟ ୧୬ଟି ରଙ୍ଗର ବ୍ୟବହାର ହୋଇଥିବା କହିଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ।

Get real time updates directly on you device, subscribe now.