fbpx

ବଡ଼ ଧରଣର ଆନ୍ତ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ଠକେଇର ପର୍ଦ୍ଦାଫାଶ କଲା ସ୍ପେଶାଲ ଟାସ୍କ ଫୋର୍ସ

ଓଡିଶା ଭାସ୍କର; ଏକ ବଡ଼ ଧରଣର ଆନ୍ତ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ଠକେଇର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଏହି ମାମଲାରେ ୩ ଜଣ ଆନ୍ତରାଜ୍ୟ ଠକଙ୍କୁ ଗିରଫ ମଧ୍ୟ କରାଯାଇଛି । ଅଭିଯୁକ୍ତ ଶେଖ ହାପିଜୁଲ, ଶେଖ ଜାମିରୁଦ୍ଦିନ ଓ ଶେଖ ଜାହାଙ୍ଗୀର ଏସଟିଏଫ ଦ୍ୱାରା ଗିରଫ ହୋଇଥିବା ସୂଚନା ରହିଛି । ଏମାନଙ୍କ ଠକେଇର ଚେର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟକୁ ମଧ୍ୟ ଲମ୍ବିଥିବା କୁହାଯାଉଛି । ଗିରଫ ଠକଙ୍କ ଠାରୁ ସିମକ କାର୍ଡ଼, ବ୍ୟାଙ୍କ ପାସବୁକ୍, ମୋବାଇଲ ଫୋନ୍ ଓ ଆଧାରକାର୍ଡ଼ ଜବତ ହୋଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଠକେଇ କରୁଥିଲେ ଏହି ରାକେଟ । ଆଉ ଏହି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ୧୦ରୁ ୧୫ ଜଣ ଲୋକଙ୍କୁ ଦରମା ଦେଇ ମଧ୍ୟ ରଖାଯାଇଥିଲା । ବିଶେଷକରି ଏମାନଙ୍କ ଟାର୍ଗେଟ ରହୁଥିଲେ ଗରିବ ତଥା ଆଦିବାସୀ ଲୋକେ । ଏମାନଙ୍କୁ ୨ ହଜାର ଟଙ୍କା ଦେଇ ତାଙ୍କ ନାଁରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଉଥିଲା । ଏହା ସହ ଆକାଉଣ୍ଟ ଖୋଲିବା ସମୟରେ ସେମାନଙ୍କୁ ଏକ ପ୍ରି-ଆକ୍ଟିଭ୍ ସିମ୍ କାର୍ଡ ନମ୍ବର ମଧ୍ୟ ଦିଆଯାଉଥିଲା । ଆଉ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ରହୁଥିବା ଏହି ନମ୍ବର ଆକାଉଣ୍ଟଧାରୀଙ୍କ ବଦଳରେ ଠକଙ୍କ ପାଖରେ ରହୁଥିଲା । ଯାହାର ଫାଇଦା ଉଠାଇ ଏହି ଠକ ମାନେ ଉକ୍ତ ଆକାଉଣ୍ଟ ଓ ମୋବାଇଲ ନମ୍ବରକୁ ବିଭିନ୍ନ ସାଇବର ଠକ ଓ ଅପରାଧୀଙ୍କୁ ମୋଟା ଅଙ୍କର ଅର୍ଥରେ ବିକ୍ରି କରୁଥିଲେ । ଗୋଟିଏ ଗୋଟିଏ ଆକାଉଣ୍ଟ ବାବଦକୁ ୧୫ରୁ ୨୦ ହଜାର ଟଙ୍କା ପର୍ୟ୍ୟନ୍ତ ନେଉଥିଲେ । ବିଭିନ୍ନ ଗ୍ରୁପ୍ ଓ ପେଜ୍ ମାଧ୍ୟମରେ ଆକାଉଣ୍ଟ ବିଷୟରେ ବିଜ୍ଞାପନ ଦିଆଯାଉଥିଲା ଓ ଏକାଉଣ୍ଟ ଖୋଲି ସେମାନଙ୍କ ଠାରୁ ଠକେଇ କରାଯାଉଥିଲା।

Get real time updates directly on you device, subscribe now.