fbpx

SPG ମୁଖ୍ୟ ତଥା IPS ଅରୁଣ କୁମାର ସିହ୍ନାଙ୍କ ପରଲୋକ: ସମ୍ଭାଳୁଥିଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ (ଏସପିଜି) ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ପରଲୋକ ଘଟିଛି । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଶ୍ରୀ ସିହ୍ନା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଗତ ୨୦୧୬ ମସିହା ପରଠାରୁ ସେ ଏସପିଜି ନିର୍ଦ୍ଦେଶକ ଦାୟିତ୍ୱରେ ରହିଥିଲେ । ଶ୍ରୀ ସିହ୍ନା ୧୯୮୭ ମସିହାର କେରଳ ବ୍ୟାଚର ଜଣେ ଆଇପିଏସ ଅଧିକାରୀ ହୋଇଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ୱିଙ୍ଗ ଦାୟିତ୍ୱରେ ରହିଥିଲେ ।

ଲିଭରରେ ସମସ୍ୟା ଦେଖାଦେବାରୁ ଶ୍ରୀ ସିହ୍ନାଙ୍କୁ ଗତ ୪ ତାରିଖରେ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏସପିଜି ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ସମ୍ଭାଳିଥାଏ । ନିକଟରେ ଶ୍ରୀ ସିହ୍ନାଙ୍କର କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରାଯାଇଥିଲା । ସେ କେରଳର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ବିଶେଷ ସେବା ଓ ଯାତାୟାତ) ଭାବେ କାର୍ଯ୍ୟ କରିଥିଲେ ।

ଏଥିସହିତ ସେ ସୀମା ସୁରକ୍ଷା ବଳରେ ଏକ ବର୍ଷ କାର୍ଯ୍ୟ କରିଥିଲେ । ସେ ମହିଳାଙ୍କ ସୁରକ୍ଷା ଓ ଅଣବାସିନ୍ଦା ଭାରତୀୟଙ୍କ ପ୍ରଭାରୀ ଭାବେ କାର୍ଯ୍ୟ କରିଥିଲେ । ସେ ନିଜ କ୍ୟାରିୟରର ଅଧିକାଂଶ ସମୟରେ ରାଜ୍ୟରେ ବିତାଇଥିଲେ । ୧୯୮୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ୧୯୮୮ରେ ସଂସଦରେ ଏସପିଜି ଆକ୍ଟ ପାରିତ କରାଯାଇ ଏସପିଜି ଗଠନ କରାଯାଇଥିଲା । ସେତେବେଳେ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଉଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏହିାପ୍ରଦାନ କରାନଯିବା ନେଇ ନିୟମ ରହିଥିଲା । ପରବର୍ତ୍ତୀ ସମୟରେ ୨୦୦୩ରେ ଅଟଳ ବିହାରୀ ବାଜପେୟୀ ସରକାର ଏହି ଆଇନରେ ସଂଶୋଧନ କରିଥିଲେ । ମାତ୍ର ଏହାପରେ ନରେନ୍ଦ୍ର ମୋଦୀ ସରକାର ପୁଣି ଏସପିଜି ଆକ୍ଟରେ ସଂଶୋଧନ କରିଥିଲେ । ଏହାପରେ ଏହି ସୁରକ୍ଷା କେବଳ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କୁ ମିଳୁଛି ।

Get real time updates directly on you device, subscribe now.