ଦ୍ଵିତୀୟ ବିଜୟ ପରେ ହାଇଦ୍ରାବାଦକୁ ବଡ ଝଟକା, ଦଳରୁ ବାଦ୍ ପଡି ପାରନ୍ତି ଏହି ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦକୁ ଆଇପିଏଲ ୨୦୨୨ରେ ନିଜର ଦ୍ଵିତୀୟ ବିଜୟ ପରେ ବଡ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର ଅତି କମରେ ଦୁଇଟି ମ୍ୟାଚରେ ଦଳରୁ ବାଦ୍ ପଡି ପାରନ୍ତି। ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର ଭଲ ବୋଲିଂ କରି ୩ ଓଭରରେ ମାତ୍ର ୧୪ ରନ ଦେଇଥିଲେ। ହେଲେ ତାଙ୍କୁ କୌଣସି ସଫଳତା ମିଳିନଥିଲା। ତଥାପି ଅନ୍ୟ ବୋଲରଙ୍କ ଅପେକ୍ଷା ସେ କମ ରନ ବ୍ୟୟ କରିଥିଲେ।

ସୁନ୍ଦରଙ୍କୁ ଡାହାଣହାତରେ ଆଘାତ ଲାଗିଛି। ତେଣୁ ସେ ଆଗାମୀ ଦୁଇଟି ମ୍ୟାଚ୍ ନଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ହାଇଦ୍ରାବାଦ ପାଖରେ ତାଙ୍କ ବିକଳ୍ପ ଭାବେ ଦୁଇ ଜଣ ଲେଗ ସ୍ପିନର ଶ୍ରେୟସ ଗୋପାଲ ଏବଂ ବାମହାତୀ ସ୍ପିନ ଅଲରାଉଣ୍ଡର ଜେ ସୁଚିତ ଦୁଇ ସମ୍ଭାବିତ ବିକଳ୍ପ ରହିଛନ୍ତି।

ଦଳର ମୁଖ୍ୟ କୋଚ୍ ଟମ୍ ମୁଡି ଏହାର ସୂଚନା ଦେଇଛନ୍ତି। ଆହତ କାରଣରୁ ସୁନ୍ଦର ଗୁଜରାଟ ବିପକ୍ଷ ମ୍ୟାଚରେ ନିଜର ୪ ଓଭର ପୂରଣ କରି ପାରିନଥିଲେ। ଆଗାମୀ ଦୁଇ ଦିନ ଧରି ସୁନ୍ଦରଙ୍କ ଆଘାତ ଉପରେ ନଜର ରଖାଯିବ। ଆଶା କରୁଛୁ ଆଘାତ ଗମ୍ଭୀର ହୋଇନଥିବ ବୋଲି କହିଛନ୍ତି ଟମ୍ ମୁଡି।