fbpx

ଆଇସିସି ଟି-୨୦ ବିଶ୍ୱକପରେ ଫେରିପାରନ୍ତି ଲାସିଥ ମାଲିଙ୍ଗା

ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଜଣେ ଶ୍ରେଷ୍ଠ ଦ୍ରୁତ ବୋଲର ଭାବରେ ପରିଗଣିତ । ନିଜର ଚମତ୍କାର କ୍ୟାରିୟରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳ ପାଇଁ ୱିକେଟ୍ ହାସଲ କରିଛନ୍ତି । ମାଲିଙ୍ଗା ଟେଷ୍ଟ ଏବଂ ଦିନିକିଆ ମ୍ୟାଚରୁ ଅବସର ନେଇଛନ୍ତି । କିନ୍ତୁ ସେ ଟି-୨୦ ରୁ ଅବସର ନେଇ ନାହାଁନ୍ତି। ତାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଦଳ ୨୦୧୪ ମସିହାରେ ଆଇସିସି ଟି -୨୦ ବିଶ୍ୱକପ ଟାଇଟଲ ହାସଲ କରିଥିଲା।

ମାଲିଙ୍ଗା ଟେଷ୍ଟ ଫର୍ମାଟ ଏବଂ ଏକ ଦିନିକିଆ ଇଣ୍ଟରନ୍ୟାସନାଲରୁ ଅବସର ନେଇଛନ୍ତି, ତେବେ ଏହି ଅଭିଜ୍ଞ ଖେଳାଳି ଅକ୍ଟୋବର-ନଭେମ୍ବର ମଧ୍ୟରେ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା ଦଳକୁ ଫେରିପାରନ୍ତି । ମାର୍ଚ୍ଚ ୨୦୨୦ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ମ୍ୟାଚ୍ରେ ମାଲିଙ୍ଗାଙ୍କୁ ଶେଷ ଥର ପାଇଁ ଶ୍ରୀଲଙ୍କା ଜର୍ସିରେ ଦେଖିବାକୁ ମିଳିଥିଲା । ଯଦି ମାଲିଙ୍ଗା ଶ୍ରୀଲଙ୍କାର ଟି -୨୦ ଦଳକୁ ଫେରନ୍ତି, ତେବେ ତାଙ୍କ ବୋଲିଂ ନିଶ୍ଚିତ ଭାବେ ଶକ୍ତିଶାଳୀ ହେବ।

ଶ୍ରୀଲଙ୍କାର ଜାତୀୟ ଚୟନ କମିଟିର ଅଧ୍ୟକ୍ଷ ପ୍ରମୋଦିୟା ବିକ୍ରମସିଂଘେ କହିଛନ୍ତି ଯେ ପୂର୍ବତନ ଅଧିନାୟକଙ୍କୁ ପୁଣିଥରେ ଟି -୨୦ ଦଳରେ ସାମିଲ କରିବାକୁ ମ୍ୟାନେଜମେଣ୍ଟ ଆଗ୍ରହୀ ଅଛି । ଏହା ଛଡା  ମ୍ୟାନେଜମେଣ୍ଟ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ ଖୁବ ଶୀଘ୍ର ମାଲିଙ୍ଗାଙ୍କୁ ଭେଟିବେ। ପ୍ରମୋଦିୟା ବିକ୍ରମସିଂଘେ ମର୍ଣ୍ଣିଙ୍ଗ ଖବରକାଗଜକୁ କହିଛନ୍ତି, “ଆମେ ଶୀଘ୍ର ଲାସିଥଙ୍କ ସହ କଥା ହେବୁ। ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ସମେତ ଆଗାମୀ ଟି -୨୦ ଟୁର୍ ପାଇଁ ସେ ଆମ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ।”

ସେ ଆହୁରି କହିଛନ୍ତି, ‘ଆମେ ଭୁଲିଯିବା ଉଚିତ୍ ନୁହେଁ ଯେ ସେ ଆମ ଦେଶର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଜଣେ । ଚଳିତ ବର୍ଷ ଏବଂ ଆସନ୍ତା ବର୍ଷ ବ୍ୟାକ୍-ଟୁ-ବ୍ୟାକ୍ ଦୁଇଟି ଟି-୨୦ ବିଶ୍ୱକପ୍ ହେବାକୁ ଅଛି  ।  ଆଗାମୀ କିଛି ଦିନ ମଧ୍ୟରେ ଆମେ ତାଙ୍କ ସହ ଆମର ଯୋଜନା ବିଷୟରେ ଆଲୋଚନା କରିବାକୁ ଯାଉଛୁ ।”

ସେପଟେ ମାଲିଙ୍ଗା ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି “ମୁଁ ଟେଷ୍ଟ ଏବଂ ୱାନ ଡେ କ୍ରିକେଟରୁ ଅବସର ନେଇଛି କିନ୍ତୁ ଟି-୨୦ ରୁ ନୁହେଁ । ମୋ କ୍ୟାରିୟରରେ, ମୁଁ ଅନେକ ଥର ପ୍ରମାଣ କରିସାରିଛି ଯେ ଦୀର୍ଘ ବିରତି ପରେ ଫେରି ମଧ୍ୟ ମୁଁ ମୋ ଦେଶ ପାଇଁ ଭଲ ପ୍ରଦର୍ଶନ କରିଛି ।”

Get real time updates directly on you device, subscribe now.