fbpx

ମାଳଦ୍ୱୀପରେ ୱାର୍ଣ୍ଣର-ସ୍ଲେଟର ମୁହାଁମୁହିଁ !

ମାଲେ, ୧୦/୦୫: ଚଳିତ ବର୍ଷର ଆଇପିଏଲ କରୋନା କାରଣରୁ ଅଧାରୁ ବନ୍ଦ ହୋଇଛି । ତେବେ ଆଇପିଏଲ ଅଧାରୁ ବନ୍ଦ ହେବା ପରେ ମ୍ୟାଚ ପାଇଁ ଖେଳିଥିବା ଅଷ୍ଟ୍ରେଲିଆ ଖେଳାଳୀ ଏବେ ମାଳଦ୍ୱୀପରେ ଅବସ୍ଥାନ କରୁଛନ୍ତି । ଭାରତରେ ବଢୁଥିବା କରୋନା ସଂକ୍ରମଣ କାରଣରୁ ଅଷ୍ଟ୍ରେଲିଆ ସରକାର ଭାରତ ଗସ୍ତରୁ ଫେରିବା କିମ୍ବା ଭାରତ ଗସ୍ତରେ ଯିବାକୁ ନେଇ କଟକଣା ଜାରି କରିଥିବାରୁ ଅଷ୍ଟ୍ରେଲିଆର ଖେଳାଳୀମାନଙ୍କୁ ଅଷ୍ଟ୍ରେଲିଆ ଏବଂ ବିସିସିଆଇ ତରଫରୁ ମାଳଦ୍ୱୀପରେ ସଙ୍ଗରୋଧରେ ବ୍ୟବସ୍ଥା କରାଯାଇଛି ।

ତେବେ ସେଠାରୁ ଏକ ଅପ୍ରୀତିକର ଖବର ସାମ୍ନାକୁ ଆସିଛି  । ସନରାଇଜର୍ସର ହାଇଦ୍ରାବାଦର ପୂର୍ବତନ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଓ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟ ତାରକା ମାଇକେଲ ସ୍ଲେଟର ସେଠାରେ ଏକ କ୍ଳବରେ ମଦ୍ୟପାନ କରି ହାତାହାତି ହୋଇଥିବା ସୂଚନା ମିଳିଛି । ଯାହା କ୍ରିକେଟ ଅଷ୍ଟ୍ରେଲିଆ ସହ ବିସିସିଆଇକୁ ଅଡୁଆରେ ପକାଇଛି ।

ଘଟଣା ମାଳଦ୍ୱୀପର ମାଲେସ୍ଥିତ ତାଜ କୋରାଲ ରିସୋର୍ଟରେ ଘଟିଛି । ଏହିଠାରେ ଉଭୟ ୱାର୍ଣ୍ଣର ଏବଂ ସ୍ଲେଟର ସଙ୍ଗରୋଧରେ ରହିଛନ୍ତି । ଉଭୟ ରାତ୍ରି ଭୋଜନ ପାଇଁ ହୋଟେଲ ରେଷ୍ଟୁରାଣ୍ଟକୁ ଯାଇଥିବାବେଳେ କୌଣସି କଥାକୁ ନେଇ ପରସ୍ପର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏପରିକି ପରସ୍ପର ଉଭୟଙ୍କୁ ଆକ୍ରମଣ କରିବା ସହ ମୁହଁକୁ ମୁଥା ମଧ୍ୟ ମାରିଥିଲେ । ସେପଟେ ଘଟଣାକୁ ନେଇ ଉଭୟ ଖଣ୍ଡନ କରିଛନ୍ତି । ଏଭଳି କୌଣସି ଘଟଣା ଘଟିନଥିଲା ବୋଲି କହିଛନ୍ତି, ଏବଂ ଏହା ଏକ ଗୁଜବ, ଡେଭିଡ ୱାର୍ଣ୍ଣର ଓ ମୁଁ ବହୁତ ଭଲ ବନ୍ଧୁ ତେଣୁ ଆମ ଭିତରେ ଲଢେଇର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ସ୍ଲେଟର । ସେହିଭଳି ୱାର୍ଣ୍ଣର ମଧ୍ୟ ଘଟଣାକୁ ଖଣ୍ଡନ କରିବା ସହ ଏଭଳି ଗୁଜବ କିଏ ସୃଷ୍ଟି କରୁଛି ନେଇ ପ୍ରଶ୍ନ କରିଛନ୍ତି ।

ସୂଚନା ଯୋଗ୍ୟ , ମାଳଦ୍ୱୀପରେ ଅଷ୍ଟ୍ରେଲିଆର ୩୯ ଜଣ ଅଷ୍ଟ୍ରେଲୀୟ ସଙ୍ଗରୋଧରେ ଅଛନ୍ତି । ସମସ୍ତେ ଭାରତରୁ ସ୍ୱତନ୍ତ୍ର ବିମାନରେ ସେଠାରେ ପହଞ୍ଚିଛନ୍ତି । ତେବେ ପୂର୍ବରୁ ସ୍ଲେଟର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନଙ୍କ ସୀମା ସିଲ ନୀତିକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିଲେ । ସେ ଦେଇଥିବା ମୋରିସନଙ୍କ ହାତରେ ରକ୍ତଛିଟା ମନ୍ତବ୍ୟ ବେଶ ଭାଇରାଲ ବି ହୋଇଥିଲା । ମୋରିସନ ମଧ୍ୟ ଏଥିଲାଗି ତାଙ୍କୁ ଖୋଲା ସମାଲେଚନା କରିଥିଲେ ।

Get real time updates directly on you device, subscribe now.