ଭୁବେନଶ୍ୱର(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଉଠିଥିବା ବିବାଦର ଅନୁଧ୍ୟାନ ପାଇଁ ଗଠନ ହେଲା ଟିମ୍ । ଗୁରୁବାର ବିଧାନସଭାର ବଜେଟ ଅଧିବେଶନର ଶେଷ କାର୍ଯ୍ୟଦିବସରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୮ ଜଣିଆ କମିଟି ଗଠନ ହୋଇଛି । ଏହି କମିଟିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ବିକ୍ରମ କେଶରୀ ଆରୁଖ, ପ୍ରତାପ ଜେନା, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ନରସିଂହ ମିଶ୍ର, ଦେବୀ ମିଶ୍ର, ଜୟନ୍ତ ଷଡ଼ଙ୍ଗୀ ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ରହିବେ । ଏହି ସଦସ୍ୟମାନେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଅନୁଧ୍ୟାନ କରିବେ ।
ମଙ୍ଗଳବାର ବିଧାନସଭାରେ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ସହ ଅଭିଯୋଗ କରିଥିଲେ ଯେ ଶ୍ରୀମନ୍ଦିର ବିକାଶ ନାଁରେ ଯଦି କିଛି କ୍ଷତି ହୁଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ । ଏହାର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଥିଲେ ଯେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ । ସେ ଆହୁରି କହିଥିଲେ । ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ଯେଉଁ ବିଭିନ୍ନ କମିଟି ଗଠନ ହେବ ସେହି ସମୟରେ ଶ୍ରୀମନ୍ଦିର ବିବାଦ ନେଇ ମଧ୍ୟ ଏକ କମିଟି ଗଠନ ହେବ ।