Maha Kumbha 2025; ମୌନୀ ଅମାବାସ୍ୟାରେ ସଙ୍ଗମ ସ୍ଥଳରେ ଦଳାଚକାଟା: ୧୫ମୃତ
ଶାହି ସ୍ନାନ ହେଲା ରଦ୍ଦ । ସ୍ୱଗୃହକୁ ଫେରିଗଲେ ଭକ୍ତ ।
ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳାରେ ଦଳାଚକଟା । ଘଟଣାସ୍ଥଳରେ ୧୫ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି ।
ବୁଧବାର ମୌନୀ ଅମାବାସ୍ୟାରେ ଶାହି ସ୍ନାନ ହେବାର ଥିଲା । ବ୍ରହ୍ମ ମୁହୂର୍ତ୍ତରେ ଭକ୍ତ ଓ ଅଖାଡା ସଦସ୍ୟମାନେ ସ୍ନାନ ପାଇଁ ଯିବା ସମୟରେ ଦଳାଚକଟା ହୋଇଥିବା ସୂଚନା ।
ଅମୃତ ସ୍ନାନ ପାଇଁ ସଙ୍ଗମ ସ୍ଥଳରେ ହଠାତ୍ ଗହଳି ବଢ଼ିଯାଇଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଳା ପଡ଼ିଆରେ ଥିବା ସେଣ୍ଟ୍ରାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୫ ମୃତଦେହ ହସ୍ପିଟାଲକୁ ଅଣାଯାଇଛି ।
ମାଡ଼ିଆସିଲେ ଲୋକେ: ମୌନୀ ଅମାବାସ୍ୟା ପାଇଁ ତ୍ରିବେଣୀ ସଙ୍ଗମ ଘାଟ ନିକଟରେ ମାତ୍ରାଧିକ ଲୋକ ଜମା ହୋଇଯାଇଥିଲେ । କୁମ୍ଭମେଳାର ଏହା ଥିଲା ଦ୍ୱିତୀୟ ଶାହି ସ୍ନାନ । ଘଟଣାସ୍ଥଳର ସ୍ଥିତିକୁ ଲକ୍ଷ୍ୟ କରି ପ୍ରଶାସନ ଭକ୍ତଙ୍କୁ ମେଳା ସ୍ଥଳ ଛାଡ଼ି ଯିବାକୁ ପରାମର୍ଶ ଦେଇଛନ୍ତି । ବହୁ ଭକ୍ତ ଶାହି ସ୍ନାନ ନ କରି ସ୍ୱଗୃହକୁ ଫେରିଯାଇଛନ୍ତି ।
ଗୋଲାପ ପାଖୁଡ଼ା: ମୌନୀ ଅମାବାସ୍ୟା ପାଇଁ ମେଳାରେ ୧୦ କୋଟି ଶ୍ରଦ୍ଧାଳୁ ଏକାଠି ହେବା ନେଇ ସରକାର ଆକଳନ କରିଥିବାବେଳେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏଥିସହ ମେଳାରେ ଗହଳି ନ ଜମେଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ୨୫ କ୍ୱିଣ୍ଟାଲ ଗୋଲାପ ପାଖୁଡ଼ା ଶ୍ରଦ୍ଧାଳୁଙ୍କ ଉପରେ ହେଲିକ୍ୟାପ୍ଟର ସାହାଯ୍ୟରେ ପକାଇବା ପାଇଁ ସ୍ଥିର କରିଥିଲେ ଯୋଗୀ ସରକାର ।
ଗତ ୧୭ ଦିନରେ କୁମ୍ଭମେଳାରେ ୧୫ କୋଟି ଲୋକ ପବିତ୍ର ସ୍ନାନ କରିସାରିଛନ୍ତି । ଗତକାଲି ୪.୮ କୋଟି ଭକ୍ତ ସଙ୍ଗମରେ ସ୍ନାନ କରିଛନ୍ତି । ମକର ସଂକ୍ରାନ୍ତିରେ ୩.୫ କୋଟି ଶ୍ରଦ୍ଧାଳୁ ଅମୃତ ସ୍ନାନ କରିଥିବା ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏଆଇ ନଜର: ଦଳାଚକଟା ଭଳି ସ୍ଥିତି ନ ଉପୁଜିବା ପାଇଁ ସୁରକ୍ଷାକର୍ମୀଙ୍କୁ ପ୍ରତି କୋଣ ଅନୁକୋଣରେ ମୁତୟନ କରାଯାଇଥିବାବେଳେ ଏଆଇ ଏବଂ ସିସିଟିଭି କ୍ୟାମେରା ଫିଟ୍ କରାଯାଇଛି । କୁମ୍ଭମେଳାରେ ଭକ୍ତଙ୍କ ଗମନାଗମନ ସରଳ କରିବା ଉଦ୍ଦେଶ୍ୟରେ ମେଳାସ୍ଥଳକୁ ସ୍ଥାନୀୟ ଲୋକେ ଗାଡ଼ି ନ ନେଇ ଆସିବାକୁ କୁହାଯାଇଥିବାବେଳେ ବୃଦ୍ଧ ଲୋକଙ୍କ ପାଇଁ ଦୁଇଚକିଆ ଯାନ ଯାତାୟତ ପାଇଁ ଅନୁମତି ମିଳିଥିଲା ।
ମୌନୀ ଅମାବାସ୍ୟା ବିଶେଷ: ମହାକୁମ୍ଭରେ ଶାହି ସ୍ନାନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଦେଶବ୍ୟାପୀ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମେଳାରେ ସାମିଲ ହୋଇଛନ୍ତି । ସବୁ ପବିତ୍ର ସ୍ନାନ ଭିତରୁ ମୌନି ଅମାବାସ୍ୟାକୁ ବିଶେଷ ଗୁରୁତ୍ୱ ଦିଆଯାଏ ।
ଜଗତଗୁରୁ ସାଇ ମା ଲକ୍ଷ୍ମୀଙ୍କ କହିଛନ୍ତି, ମୌନୀ ଅମାବାସ୍ୟା କେବଳ ସାଧୁ ସନ୍ଥଙ୍କ ପାଇଁ ଗୁରୁତ୍ୱ ବହନ କରି ନ ଥାଏ । ଏହା ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ଅତି ଖାସ୍ । ଲୋକମାନେ ନିଜର ଓ ନିଜ ପରିବାରର ମଙ୍ଗଳ ପାଇଁ ଏହି ଗୋଟିଏ ଦିନ ମୌନ ରହି ଈଶ୍ୱରଙ୍କ ଆଶିଷ ଲାଭ କରନ୍ତି ।
୨୬ରେ ସରିବ: ଏହି ଶାହିସ୍ନାନ ପାଇଁ ମେଳାରେ ୧୦୦୦ ମେଡିକାଲ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଇଥିଲା । ଏହିସହ ୩୦୦ ସ୍ପେସିଆଲିଷ୍ଟ ଡାକ୍ତରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ୧୨ ବର୍ଷ ପରେ ଚଳିତବର୍ଷ କୁମ୍ଭମେଳା ଅନୁଷ୍ଠିତ ହୋଇଛି । ଜାନୁଆରୀ ୧୩ରେ ଆରମ୍ଭ ହୋଇଥିବା ଏହି ମହାମେଳା ଫେବୃଆରୀ ୨୬ ଶିବରାତ୍ରୀରେ ଶେଷ ହେବ ।