fbpx

ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ: ୧୪୮୨ କୋଟିର ପ୍ରକଳ୍ପରେ ନିଯୁକ୍ତି ପାଇବେ ୧୨ ହଜାର ଲୋକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ବିକାଶମୁହାଁ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରି ଆସିଛନ୍ତି । ଏହି ମର୍ମରେ ରାଜ୍ୟରେ ୧୧,୯୬୯ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୧୪୮୨ କୋଟିର ୭ଟି ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଶିଳ୍ପ ଓ ରୂପାନ୍ତରଣ ଆଡ଼କୁ ପୁଣି ଏକ ପାଦ ବଢ଼ାଇଛନ୍ତି ରାଜ୍ୟ ସରକାର ।

ସୂଚନା ମୁତାବକ, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୧୪୮୨.୫୩ କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ୭ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ଶିଳ୍ପ ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ୧୧,୯୬୯ ବା ପାଖାପାଖି ୧୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ତେବେ ଅନୁମୋଦନ ମିଳିଥିବା ୭ଟି ଶିଳ୍ପ ପ୍ରସ୍ତାବ ମଧ୍ୟରେ ବୟନ, ରାସାୟନିକ, ଖଣି, ଇସ୍ପାତ, ବାୟୋଗ୍ୟାସ ଏନର୍ଜି ଆଦି କ୍ଷେତ୍ର ରହିଛି । ରାଜ୍ୟର ବାଲେଶ୍ୱର, ରାୟଗଡ଼ା, ଯାଜପୁର, ଖୋର୍ଦ୍ଧା, କେନ୍ଦୁଝର, ଗଞ୍ଜାମ, ସୁନ୍ଦରଗଡ଼ ଆଦି ଜିଲ୍ଲାମାନେଙ୍କରେ ଏହି ସବୁ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧାରେ ୨୧୪ କୋଟି ନିବେଶ କରି ଏମଏଏସ ଉଦ୍ୟତ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବୟନ ଶିଳ୍ପ ପ୍ରତିଷ୍ଠା କରିବା ଫଳରେ ସେଠାରେ ୮୮୪୪ ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି କେନ୍ଦୁଝରରେ ୮୦୦ କୋଟି ନିବେଶ କରି ଟେକ୍ ଏଆଇସି ଡିଆରଆଇ ପେଲେଟ୍ସ ପ୍ରାଇଭେଟ ଲିମିଟେଡ ୨୦୧୩ ଜଣଙ୍କୁ ନିଯୁକ୍ତି ଦେବ । ଏଥିସହିତ ବିଭିନ୍ନ ଶିଳ୍ପରେ ନିବେଶ କରାଯିବା ଫଳରେ କଳିଙ୍ଗନଗରରେ ୪୬୫ ଜଣ, ବାଲେଶ୍ୱରରେ ୬୯ ଜଣ, ରାୟଗଡ଼ାରେ ୧୯୮ ଜଣ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.