fbpx

ଟ୍ରାଫିକରୁ ମୁକ୍ତି! ରାଜଭବନ-ନନ୍ଦନକାନନକୁ ଯୋଡିବ ନୂଆ ଫ୍ଲାଏ-ଓଭର: ଖୋଲିବ ଭୂତଳ ବଜାର

ଭୁବନେଶ୍ୱର: ଗାଡି-ମୋଟର ବୃଦ୍ଧି ପାଇବାରୁ ବର୍ତ୍ତମାନ ରାଜଧାନୀରେ ବଢିବାରେ ଲାଗିଛି ଟ୍ରାଫିକ ସମସ୍ୟା । ତେବେ ଅଧିକ ସମସ୍ୟା ଦେଖାଯାଉଛି ରାଜଭବନ ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ଏହି ରୁଟରେ । ପ୍ରତ୍ୟେକ ଛକରେ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି ଗାଡିଚାଳକ, ସେହିପରି ଅଧିକ ଗହଳି ଯୋଗୁଁ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେଣୁ ଏସବୁକୁ ରୋକିବା ପାଇଁ ଟ୍ରାଫିକ ସମସ୍ୟାକୁ ଦୂର କରିବା ରାଜ୍ୟ ସରକାରଙ୍କ ପ୍ରଥମ ଏବଂ ମୁଖ୍ୟ ଉପାୟ ହୋଇପାରିବ । ତେଣୁ ସରକାର ଏହି ରାସ୍ତା ଏବଂ ଏଠାକାର ସମସ୍ୟାକୁ ସୁଧାରିବା ଦିଗରେ ପଦକ୍ଷେପ ନେଇଛନ୍ତି । ୧୦ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ୨ ବର୍ଷ ଭିତରେ ଶେଷ କରିବା ପାଇଁ ଯୋଜନା କରାଯାଉଛି ।

୧୬ କିଲୋମିଟର ରାସ୍ତାରେ ପାଇଁ ସରକାର କରୁଛନ୍ତି ମେଗା ଯୋଜନାର ବ୍ଲୁ ପ୍ରିଣ୍ଟ । ବର୍ତ୍ତମାନ ୧୬ କି.ମି ରାସ୍ତାରେ ଠିଆ ହେବ ୬ଟି ଫ୍ଲାଏ ଓଭର, ମାଟି ତଳେ ଫିଟିବ ରାସ୍ତା ଆଉ ବଜାର ସହ ପାର୍କିଂ ପାଇଁ ଖୋଲିବ ବିଶାଳ ଜାଗା । ଯାହାଦ୍ୱାରା ଏଠାକାର ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଏହି ରାସ୍ତା ଅତିକ୍ରମ କରିବା ପାଇଁ ୪୫ ମିନିଟ ସମୟ ଲାଗୁଥିବା ବେଳେ ପ୍ରକଳ୍ପ ପରେ ଏହା ୧୫ ମିନିଟରେ ଅତିକ୍ରମ କରାଯାଇପାରିବ । ଛୋଟ ଛୋଟ କରି ୬ଟି ଫ୍ଲାଏଓଭର ସହିତ ମାଟି ତଳେ ନୂଆ ରାସ୍ତା ବି ଫିଟିବ । ତେବେ ଏହି ପ୍ରସ୍ତାବିତ ପ୍ରକଳ୍ପରେ ନୂଆ ଯୋଜନା ହେଉଛି ଭୂତଳ ବଜାର ଏବଂ ଭୂତଳ ପାର୍କିଂ ବ୍ୟବସ୍ଥା । ଏହି ପ୍ରକଳ୍ପ ଦିଲ୍ଲୀର ପାଲିକା ମାର୍କେଟ ପରି ପ୍ରସ୍ତୁତ କରାଯିବା ପାଇଁ ଯୋଜନା କରାଯାଉଛି । ତେବେ ଏହି ୨ଟି ଭୂତଳ ବଜାର କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଏବଂ ଜନତା ମଇଦାନ ସମ୍ମୁଖ ରାସ୍ତାରେ ତିଆରି କରାଯିବ ।

ପ୍ରଥମ ଫ୍ଲାଏ-ଓଭର ପାୱାର ହାଉସ ଛକରୁ ଶାସ୍ତ୍ରୀନଗର ଛକ ପର୍ଯ୍ୟନ୍ତ ପ୍ଲା କରାଯାଇଛି । ଏହାପରେ ଦ୍ୱିତୀୟଟି ନୂଆପଲ୍ଲୀ ବେହେରା ସାହିରୁ ନିକୋ ପାର୍କ ଛକ ଉପର ଦେଇ କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଫୁଟ ଓଭରବ୍ରିଜ ପୂର୍ବରୁ ରାସ୍ତାକୁ ଛୁଇଁବ । ଏହାପରେ ଜୟଦେବ ବିହାର ଫ୍ଲାଏ ଓଭର ଉପର ଦେଇ ତିରୁମାଲା କଲ୍ୟାଣ ମଣ୍ଡପ ପାଖରୁ ମେଫାୟାର ଛକକୁ ସଂଯୋଗ କରିବ । ଏହାପରେ ପଟିଆ ଛକ ପୂର୍ବରୁ ଭୂତଳ ରାସ୍ତାରେ ଯାଇ କିଟ ଛକ ଦେଇ ରଘୁନାଥପୁର ବ୍ରିଜକୁ ପ୍ରବେଶ କରିବ ଏହି ରାସ୍ତା । ଏହାପରେ ଟ୍ରାଫିକ ଏଡାଇବା ପାଇଁ ନନ୍ଦନକାନନ ପରେ ଫ୍ଲାଏ ଓଭର ତଳ ରାସ୍ତା ସହ ଯୋଡି ହେବ । ତେବେ ଏହି ପ୍ରସ୍ତାବିତ ରାସ୍ତା ୬ କିମ୍ବା ୮ ଲେନ୍ ବିଶିଷ୍ଟ କରିବା ପାଇଁ ଯୋଜନା କରାଯାଉଛି ।

Get real time updates directly on you device, subscribe now.