fbpx

କୋଭିଡ୍ କଟକଣା ମଧ୍ୟରେ ଆୟୋଜନ ହେବ ‘ସ୍ୱାଧୀନତା ଦିବସ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ ।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୧ ପାଳନର ରୂପରେଖ ସମ୍ପର୍କରେ ପ୍ରସ୍ତୁତି ବୈଠକ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ସ୍ୱଳ୍ପସଂଖ୍ୟକ ଅତିଥି, କୋଭିଡ୍ ଯୋଦ୍ଧା, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଗୃହ ବିଭାଗ ଦ୍ୱାରା ଚିହ୍ନଟ ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ପ୍ରଭାତରେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସ୍ୱାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଓ କୋଭିଡ୍ ଯୋଦ୍ଧାଙ୍କ ଉପବେଶନ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିବା ସୂଚନା ଅଧିକାରୀ ସୁଜିତ୍ ରଞ୍ଜନ ସ୍ୱାଇଁ ଜଣାଇଛନ୍ତି ।

ପୂର୍ବବର୍ଷ ପରି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇଠାରେ ବିଭାଗ ପକ୍ଷରୁ ଉତ୍ସବ ପାଳନ କରାଯିବ । ସେହିପରି ଆରଡିସି ଜୋନ୍, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ କୋଭିଡ୍ ନିୟମାବଳୀ ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ । ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଡ. ଲେନିନ୍ ମହାନ୍ତି, ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ, ଯୁଗ୍ମ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା ଏବଂ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ବିବରଣୀ ଉପସ୍ଥାପନା କରିଥିଲେ ।

Get real time updates directly on you device, subscribe now.