କୋଟପାଡ଼: ସାଧାରଣତଃ ଧାନକୁ ସମସ୍ତେ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ଶସ୍ୟରୁ ସୁନ୍ଦର କଳାକୃତି ମଧ୍ୟ ସମ୍ଭବ ।
ଧାନରୁ ସୁନ୍ଦର ସୁନ୍ଦର ଜୀବନ୍ତ ମୂର୍ତ୍ତି ତିଆରି କରି ଜୀବିକା ନିର୍ବାହ କରୁଛନ୍ତିା ଧାନରେ ସୁନ୍ଦର କଳାକୃତି ପାଇଁ ସାଉଁଟିଛନ୍ତି ସମସ୍ତଙ୍କ ପ୍ରଶଂସା । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ର ହରେକୃଷ୍ଣ ନାୟକ ।
ସ୍ୱାବଲମ୍ବୀ ହରେକୃଷ୍ଣ: କୋଟପାଡ଼ ହସ୍ତତନ୍ତ ତଥା ମିରିଗାନୀ ଶାଢ଼ୀକୁ ନେଇ ବିଶ୍ୱ ଦରବାରରେ ବହୁ ପୂର୍ବରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି କୋଟପାଡ଼ । ଏହାରି ଭିତରେ ଅଞ୍ଚଳର ଅଉ ଏକ କଳା ଦେଶରେ ନିଜର ପରିଚୟ ସୃଷ୍ଟି କରିଛି, ତାହା ହେଉଛି ଧାନରେ ତିଆରି ବିଭିନ୍ନ କଳାକୃତି ।
ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ମୂର୍ତ୍ତି ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଙ୍କ ଠାରୁ ଆରମ୍ଭ କରି ବହୁ ଆକର୍ଷଣୀୟ ରାକ୍ଷୀ ନିଜେ ପ୍ରସ୍ତୁତ କରନ୍ତି ହରେକୃଷ୍ଣ ।
ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ମଧ୍ୟ ଚଳାଉଛନ୍ତିା
କେବେ ଠାରୁ ବୃତ୍ତି ଆରମ୍ଭ: ୧୯୯୯ ମସିହାରୁ ପେଡିକ୍ରାଫ୍ଟ ବା ଧାନରେ ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ତିଆରି ଆରମ୍ଭ କରିଥିଲେ। ଏହି କଳାକୃତିକୁ ଲୋକେ ପସନ୍ଦ କରିବା ସହ ହରେକୃଷ୍ଣ ରାଜ୍ୟ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।
୨୦୧୯ରେ ତାଙ୍କୁ ଦିଲ୍ଲୀରୁ ଡାକରା ଆସିଥିଲା । ଗାନ୍ଧୀ ଜୟନ୍ତୀ ଅବସରରେ ସେ ଗାନ୍ଧିଜୀଙ୍କ ଏକ ପାଞ୍ଚ ଫୁଟର ପ୍ରତିମୂର୍ତ୍ତି ତିଆରି କରିଥିଲେ ।
ଏହି ପ୍ରତିମୂର୍ତ୍ତିଟି ବର୍ତ୍ତମାନ ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧୀ ଷ୍ଟାଡିଅମରେ ସ୍ଥାନିତ କରାଯାଇଛି ।
ହରେକୃଷ୍ଣ ନାୟକଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଆଶା ନାୟକ ଓ ପୁଅ ବଳରାମ ନାୟକ ଏହି କଳାକୁ ବଞ୍ଚାଇ ରଖିଛନ୍ତି ।
ମୂର୍ତ୍ତିରୁ ରୋଜଗାର: ବଳରାମ କହିଛନ୍ତି ଗୋଟିଏ ଗୋଟିଏ ମୂର୍ତ୍ତି ନିର୍ମାଣ ପାଇଁ ୨ ରୁ ୩ ଦିନ ସମୟ ଲାଗିଥାଏ । ଏହା ସତ୍ତ୍ୱେ ଏଥିପାଇଁ ଉଚିତ ମୂଲ୍ୟ ପାଇପାରୁନାହାନ୍ତି । କାରଣ ରାଜ୍ୟରେ ଥିବା ପୂର୍ବ ସରକାର କିମ୍ବା ପ୍ରଶାସନ ଦ୍ୱାରା ଆଜି ପର୍ଯ୍ୟନ୍ତ କୌଣସି ସହାୟତା କିମ୍ବା ବିକ୍ରି ପାଇଁ କୌଣସି ଷ୍ଟଲର ବ୍ୟବସ୍ଥା କରାଯାଇ ନାହିଁ ।
ରାଜ୍ୟ ବାହାରେ ହିଁ ତାଙ୍କ କଳାକୁ ଉଚିତ ସମ୍ମାନ ସହ ଉଚିତ ପାରିଶ୍ରମିକ ବି ମିଳିଥାଏ ବୋଲି ବଳରାମ କହିଛନ୍ତି । ଗୋଟିଏ ଗୋଟିଏ ମୂର୍ତ୍ତି ୫୦୦ ରୁ ୭୦୦ ଟଙ୍କାରେ ବିକ୍ରି ହୋଇଥାଏ ।
ତାଙ୍କ ହାତ ତିଆରି ମୂର୍ତ୍ତି ଗୁଡ଼ିକ ମଧ୍ୟରେ ସରସ୍ବତୀ, ଦୁର୍ଗା, ଗଣେଶ, ମୟୂର, କଇଁଛ ସହ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ବି ସ୍ଥାନ ପାଇଛନ୍ତି ।
ଆର୍ଥିକ ସହାୟତା: ଦିଲ୍ଲୀ, ମୁମ୍ବାଇ ଓ କଲିକତା ଭଳି ସହରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଧାନରେ ତିଆରି ବିଭିନ୍ନ କଳାକୃତି ବିକ୍ରି କରିଛନ୍ତି ବଳରାମ । କିନ୍ତୁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦ୍ୱାରା ଆଜି ପର୍ଯ୍ୟନ୍ତ ସେ କୌଣସି ସୁଯୋଗ ପାଇନାହାନ୍ତି ।
ବଳରାମ କହିଛନ୍ତି ବର୍ତ୍ତମାନର ରାଜ୍ୟ ସରକାର ଯଦି ତାଙ୍କ କଳା ଓ କାରୁକାର୍ଯ୍ୟ ଦେଖି କିଛି ଆର୍ଥିକ ସହାୟତା ସହ ବିକ୍ରି ପାଇଁ ବ୍ୟବସ୍ତା କରନ୍ତେ ତେବେ ତାଙ୍କ ହାତ ତିଆରି ମୂର୍ତ୍ତି ଦେଶ ସହ ବିଦେଶରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।