ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ହ୍ରାସ ପାଇଁ ନିଆଯାଉଛି ପଦକ୍ଷେପ: ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷକଙ୍କ ଶିକ୍ଷାର ବିକାଶ ହେବ । ବିଦ୍ୟାଳୟରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ହ୍ରାସ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କଟକସ୍ଥିତ ରାଧାନାଥ ଉଚ୍ଚତର ଶିକ୍ଷା ଅନୁସନ୍ଧାନ ପ୍ରତିଷ୍ଠାନ-‘ଆର୍‍ଏନ୍‍ଟି’ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଖୁବ୍‍ଶୀଘ୍ର ଶିକ୍ଷକଙ୍କ ତାଲିମ ପାଇଁ ନୂଆ ପାଠ୍ୟକ୍ରମ ସହ ୪ ବର୍ଷୀୟା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଏଥିସହ ଏହି ଶିକ୍ଷା ଅନୁଷ୍ଠାନର ଜମି ହସ୍ତାନ୍ତର ପରେ ନାକ୍‍ର ମାନ୍ୟତା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବିଇ.ଡି ପାଠ୍ୟକ୍ରମ ପାଇଁ ଅଧିକ ଅନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ । ୨୦୩୬ ମସିହା ସୁଦ୍ଧା ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।