fbpx

ପ୍ରଥମ ଥର ୬୭,୦୦୦ ପଏଣ୍ଟ ପାର୍ କଲା ସେନସେକ୍ସ, ଗୋଟିଏ ଦିନରେ ୧.୬ ଲକ୍ଷ କୋଟି ଲାଭ କଲେ ନିବେଶକ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଲଗାତାର ଚତୁର୍ଥ ଦିନ ପାଇଁ ବୁଧବାର(୧୯ ତାରିଖ)ରେ ନୂଆ ରେକର୍ଡ କରିବା ଜାରି ରଖିଛି । ବିଏସ୍‌ଇ ସେନସେକ୍ସ ପ୍ରଥମ ଥର ପାଇଁ ୬୭,୦୦୦ ପଏଣ୍ଟ ପାର୍ କରି ଶିଖରରେ ପହଞ୍ଚିଛି । ନିଫ୍ଟି ମଧ୍ୟ ୧୯,୮୫୦ ପଏଣ୍ଟ ପାଖରେ ନିଜର ସର୍ବକାଳୀନ ଉଚ୍ଚତମ ସ୍ତରରେ ପହଞ୍ଚିଛି । ବିଦେଶୀ ନିବେଶକଙ୍କ ତାଜା କ୍ରୟ ଏବଂ ଆମେରିକା ସେୟାର ବଜାରରେ ଉତ୍ସାହ ଆସିବା କାରଣରୁ ଭାରତୀୟ ସେୟାର ବଜାରରେ ଉତ୍ସାହକୁ ବଳ ମିଳିଥିଲା।

ଏହି କାରଣରୁ ବୁଧବାର ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ବଜାର ମୂଲ୍ୟ ୩୦୪.୬୨ ଲକ୍ଷ କୋଟି ଟଙ୍କାରେ ନିଜର ଉଚ୍ଚତମ ସ୍ତରରେ ପହଞ୍ଚିଥିଲା। ସେୟାର ବଜାରରେ କେବଳ ବୁଧବାର ନିବେଶକମାନଙ୍କର ୧.୫ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ଆଇଟି ସେୟାର କୁ ଛାଡ଼ି ବାକି ସମସ୍ତ ସେୟାର ଇଣ୍ଡେକ୍ସ ବୃଦ୍ଧି ପାଇବା ସହିତ ବଜାର ବନ୍ଦ ହେଲା ସମୟରେ ସକରାତ୍ମକ ରହିଥିଲା । ଏହି ସମୟରେ ମିଡ୍ କ୍ୟାପ୍ ଏବଂ ସ୍ମଲ୍ କ୍ୟାପ୍ ଗୁଡ଼ିକର ଭଲ କ୍ରୟ ବିକ୍ରୟ ହୋଇଥିଲା ।

ବଜାର ବନ୍ଦ ହେଲା ସମୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍‌ଇ) ୩୦ ସେୟାର ସୂଚକାଙ୍କ ସେନସେକ୍ସ ୩୦୨.୩୦ ପଏଣ୍ଟ ବା ୦.୪୫% ବୃଦ୍ଧି ପାଇ ୬୭,୦୯୭.୪୪ ପଏଣ୍ଟରେ ବନ୍ଦ ହୋଇଥିଲା। ବୁଧବାର କାରବାରରେ ବିଏସ୍‌ଇ ୬୭,୧୭୧.୩୮ ପଏଣ୍ଟରେ ଏହାର ନୂତନ ଶିଖର ଛୁଇଁଥିଲା । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର ୫୦ ସେୟାର ସୂଚକାଙ୍କ ନିଫ୍ଟି ୮୩,୯୦ ପଏଣ୍ଟ ବା ୦.୪୨% ବୃଦ୍ଧି ସହିତ ବନ୍ଦ ହୋଇଥିଲା । ନିଫ୍ଟି ବୁଧବାର କାରବାର ସମୟରେ ଏହାର ସର୍ବକାଳୀନ ସର୍ବୋଚ୍ଚ ୧୯,୮୫୧.୭୦ ପଏଣ୍ଟକୁ ଛୁଇଁଥିଲା ।

Get real time updates directly on you device, subscribe now.