ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଁଇ BSE-NSEରେ ବନ୍ଦ ରହିବ କାରବାର

ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ଷ୍ଟକ୍ ମାର୍କେଟ ନିବେଶକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି । ମତଦାନକୁ ଦୃଷ୍ଟିରେ ରଖି ଆଜି ଭାରତୀୟ ଶେୟାର ବଜାର ବନ୍ଦ ରହିବ । ଦୁଇଟି ଷ୍ଟକ୍ ଏକ୍ସଚେଞ୍ଜ BSE ଏବଂ NSEରେ କୌଣସି କାରବାର ହେବ ନାହିଁ । ନଭେମ୍ବର ୨୦କୁ ଶେୟାର ବଜାର ବନ୍ଦ ରହିବ ବୋଲି ବିଏସଇ ଇଣ୍ଡିଆର ଅଫିସିଆଲ ୱେବସାଇଟରେ ସୂଚନା ଦିଆଯାଇଛି ।

ନଭେମ୍ବର ୧୯ରେ ଶେୟାର ବଜାରରେ ଦମଦାର ବୃଦ୍ଧି ଦେଖିବାକୁ ମିଳିଥିଲା । କିନ୍ତୁ ଶେଷ ଘଣ୍ଟାରେ ହ୍ରାସ ଦେଖିବାକୁ ମିଳିଥିଲା । ମଙ୍ଗଳବାର ଅଧିବେଶନରେ ବିଦେଶୀ ନିବେଶକମାନେ ୩୪୧୧ କୋଟି ଟଙ୍କାର ଶେୟାର ବିକ୍ରି କରିଥିବା ବେଳେ ଘରୋଇ ଅନୁଷ୍ଠାନ ନିବେଶକମାନେ ୨୭୮୩୮୯ କୋଟି ଟଙ୍କାର ଶେୟାର କ୍ରୟ କରିଥିଲେ । ଗତ କାରବାର ସମୟରେ ସେନସେକ୍ସ ୭୮, ୪୫୧.୬୫ ପଏଣ୍ଟ ଏବଂ ନିଫ୍ଟି ୨୩, ୭୮୦୬୫ ପଏଣ୍ଟରେ ପହଂଚିଥିଲା । କାରବାର ଶେଷରେ ସେନସେକ୍ସ ୨୩୯.୩୭ ପଏଣ୍ଟ ବୃଦ୍ଧି ସହ ୭୭, ୫୭୮.୩୮ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୬୪.୭୦ ପଏଣ୍ଟ ବୃଦ୍ଧି ସହ ୨୩, ୫୧୮.୫୦ ପଏଣ୍ଟରେ ବନ୍ଦ ରହିଥିଲା ।