ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ହେଉଛି ଚାପ: ଜାଣନ୍ତୁ ଏଥିରୁ ବର୍ତ୍ତିବାର ଉପାୟ 

ବର୍ତ୍ତମାନ ଆମେ ଏପରି ଏକ ସ୍ଥିତିର ପହଞ୍ଚିଛନ୍ତି, ଯେଉଁ ସମୟରେ ଚାପ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା। ଚାପ ଏବେ ଅନେକ ରୋଗର ମୁଖ୍ୟ କାରଣ ପାଲଟିଛି। ୧୮ ରୁ ୪୫ ବର୍ଷ ବୟସର ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ହେଉଛି ଚାପ। ତେବେ ଆମ ଯୁବପିଢିଙ୍କ ଚାପଗ୍ରସ୍ତର କାରଣ କଣ ହୋଇପାରେ, ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରାର୍ଥକ୍ୟ ଏବଂ କିପରି ଏହାର ସମାଧାନ କରାଯାଇ ପାରିବ, ଜାଣନ୍ତୁ…

 

ଚାପ କ’ଣ?

ଚାପ ହେଉଛି ଏକ ପ୍ରାକୃତିକ ପ୍ରତିକ୍ରିୟା, ଯାହା ବିଭିନ୍ନ କାରଣରୁ ହୋଇପାରେ, ଯେପରିକି କାର୍ଯ୍ୟ, ସମ୍ପର୍କ, ଆର୍ଥିକ ଅସୁବିଧା କିମ୍ବା ଜୀବନର ପ୍ରମୁଖ ପରିବର୍ତ୍ତନ। ଯେତେବେଳେ ଆମେ ଚାପର ସମ୍ମୁଖୀନ ହୋଇଥାଉ, ଏହା ଶାରୀରିକ ଏବଂ ମାନସିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଏହି ପ୍ରତିକ୍ରିୟାଗୁଡ଼ିକ ଟେନସନ, ଚିନ୍ତା, କିମ୍ବା ଅତ୍ୟଧିକ ଭାବନା ପରି ଦେଖାଯାଏ।

 

ଚାପଗ୍ରସ୍ତ ହେଲେ ଶରୀର କର୍ଟିସୋଲ ଏବଂ ଆଡ୍ରେନାଲିନ୍ ପରି ହରମୋନ ମୁକ୍ତ କରିଥାଏ। ଏହି ହରମୋନ ହୃଦସ୍ପନ୍ଦନ ଏବଂ ରକ୍ତଚାପ ବୃଦ୍ଧିକରେ, ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ।

 

ଆପୋଲୋ ହସ୍ପିଟାଲ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ, ପ୍ରତି ୧୧,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୮୦% ଲୋକ କ୍ରନିକ୍ ଚାପରେ ପୀଡିତ। ଏହି ରିପୋର୍ଟରେ କୁହାଯାଇଛି ଯେ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପରି ଅଣସଂକ୍ରାମକ ରୋଗ (NCDs) ସହ ଚାପର ସିଧାସଳଖ ଲିଙ୍କ ରହିପାରେ। ବାସ୍ତବରେ, ଏହା ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗକୁ ୧.୩ରୁ ୨ ଗୁଣ ବଢୀଇଥାଏ।

 

କେଉଁ କାରଣର ଆମେ ଅଧିକ ଅଧିକ ଚାପଗ୍ରସ୍ତ?

ବିଶେଷଜ୍ଞଙ୍କ କହିବା ଅନୁସାରେ, ଚାପର ବିଭିନ୍ନ କାରଣ ମଧ୍ୟରୁ ମୁଖ୍ୟ କାରଣ ହେଉଛି ଏକାଡେମିକ୍ ଚାପ, ଆର୍ଥିକ ଚିନ୍ତା ଏବଂ କ୍ୟାରିୟର ଅନିଶ୍ଚିତତା। ଅନ୍ୟାନ୍ୟ ଚିନ୍ତା, ଯାହା ଯୁବପିଢିଙ୍କୁ ରୋଗ ବିପଦରେ ପକାଇଥାଏ ତାହା ହେଉଛି ସୋଶାଲ ମିଡିଆରେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବା ଏବଂ ଜୀବନ ସାଥୀ ଓ ପରିବାର ସମସ୍ୟା।

 

 

ଚାପ ଓ ଶରୀର

ଅଧିକାଂଶ ଲୋକ ଭାବନ୍ତି ଯେ, ଚାପଗ୍ରସ୍ତର ଅର୍ଥ ମସ୍ତିଷ୍କ ଉପରେ ପ୍ରଭାବ ପଡିବା। ବାସ୍ତବରେ ଏହା ନୁହେଁ, ଚାପ ସମଗ୍ର ଶରୀରକୁ ପ୍ରଭାବିତ କରିପାରେ। ନିୟମିତ ଭାବେ କର୍ଟିସୋଲ ହରମୋନ ରିଲିଜ୍ ହେଲେ ସ୍ୱାସ୍ଥ୍ୟ ଉପରେ ଏହାର ଗମ୍ଭୀର ପ୍ରଭାବ ପଡେ। କର୍ଟିସୋଲ କାରରୁ ଶରୀରରେ ଚର୍ବି ଜମାଟ(ବିଶେଷ କରି ପେଟ), ଓଜନ ବୃଦ୍ଧି, ଇନସୁଲିନ୍ ପ୍ରତିରୋଧ, ମେଟାବୋଲିକ୍ ଡିସଫଙ୍କସନ, ମଧୁମେହ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ବଢିଥାଏ। ଏହି ହରମୋନ କାରଣରୁ ମଧ୍ୟ ଠିକ୍ ନିଦ ହୋଇନଥାଏ।

 

ମହିଳା ଓ ଚାପ

2024 ଆପୋଲୋ ହସ୍ପିଟାଲ୍ ରିପୋର୍ଟ ଅନୁଯାୟୀ, ମହିଳାମାନେ ହିଁ ଅଧିକ ଚାପଗ୍ରସ୍ତ ହୁଅନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଦର୍ଶାଇଛନ୍ତି ଯେ, ଜୈବିକ, ମାନସିକ ଏବଂ ସାମାଜିକ କାରଣଗୁଡ଼ିକ ଏଥିପାଇଁ ମୁଖ୍ୟତଃ ଭାବେ ଦାୟୀ।

 

ମହିଳାଙ୍କ ଶରୀରରୁ ରିଲିଜ୍ ହେଉଥିବା ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ହରମୋନ ଚାପର ପ୍ରତିକ୍ରିୟାକୁ ପ୍ରଭାବିତ କରିପାରେ। ଅଧ୍ୟୟନରୁ ଜଣାପଡିଛି ଯେ, ମାସିକ ଋତୁଚକ୍ର, ଗର୍ଭାବସ୍ଥା ଏବଂ ମେନୋପଜ୍ ସମୟରେ ଏହି ହରମୋନଗୁଡ଼ିକର ପରିବର୍ତ୍ତନ କାରଣରୁ ମହିଳାମାନେ ଅଧିକ ଚାପଗ୍ରସ୍ତ ହୋଇପାରନ୍ତି। ଅନୁସନ୍ଧାନରୁ ଆହୁରି ଜଣାଯାଇଛି ଯେ, ଚାପ ସମୟରେ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଯାଏ।

 

ସମାଧାନ କ’ଣ?

ବିଶେଷଜ୍ଞଙ୍କ କହିବା ଅନୁସାରେ, ନିୟମିତ ଶାରୀରିକ କାର୍ଯ୍ୟକଳାପରେ ନିୟୋଜିତ ହେବା ଏବଂ ପୋଷକତତ୍ତ୍ୱରେ ଭରପୂର ସନ୍ତୁଳିତ ଖାଦ୍ୟ ବଜାୟ ରଖିବା ଦ୍ୱାରା ଚାପରୁ ମୁକ୍ତି ମିଳିପାରିବ। ଶାରୀରିକ ବ୍ୟାୟାମ ଫଳରେ ଏଣ୍ଡୋରଫିନ ରିଲିଜ୍ ହୋଇଥାଏ। ଏହି ହରମୋନ ମନୋବଳକୁ ଦୃଢ କରିବା ସହ ସୁସ୍ଥତା ବଜାୟ ରଖିଥାଏ।

 

କେତେକ ଖାଦ୍ୟ ଅଛି, ଯେପରିକି ଓମେଗା-୩ ଫ୍ୟାଟି ଏସିଡ୍ ଚାପ ହରମୋନ ଉତ୍ପାଦନକୁ ହ୍ରାସ କରିପାରେ। ଏହା ବ୍ୟତୀତ, ପ୍ରିୟଜନଙ୍କ ସହ ବାର୍ତ୍ତାଳପ, ବନ୍ଧୁମାନଙ୍କ ସହ ସମୟ ବିତାଇବା ଏବଂ  ସଙ୍ଗୀତ ସାହାଯ୍ୟରେ ମଧ୍ୟ ଚାପକୁ ଦୂର କରାଯାଇ ପାରିବ।