fbpx

ଲୁହା କଡ଼େଇରେ ମହାପ୍ରସାଦ ରୋଷେଇ ଘଟଣା: ସାତ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗକୁ ଆଧାର କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡ଼ୁ ନିଯୋଗ, ରୋଷପାଇକ ନିଯୋଗ ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରିବା ସହ ଲୁହା କଡ଼େଇ ଜବତ କରି ୭ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଶ୍ରୀମନ୍ଦିର ସଂସ୍କୃତି ଅକ୍ଷୁର୍ଣ୍ଣ ରଖିବା ପାଇଁ ପରମ୍ପରା ବିରୋଧୀ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀମନ୍ଦିର ରୋଷଶାଳାରେ ଚୁଲିରେ ମାଟି କୁଡ଼ୁଆରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପ୍ରସାଦ ପ୍ରସ୍ତୁତ କରାଯାଏ । ଗୋଟିଏ ଚୁଲିରେ ଏକକାଳୀନ ଛଅ ଗୋଟି ମାଟି କୁଡୁଆ ବସାଯାଏ । ସେଥିରୁ ବାଇହାଣ୍ଡି ସମେତ ଅନ୍ୟ ମାଟି କୁଡୁଆକୁ ଅନ୍ନ ସ୍ଥାନାନ୍ତର କରାଯାଏ। ଶ୍ରୀମନ୍ଦିର ରୋଷଶାଳାରେ ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ବ୍ୟବସ୍ଥା ନାହିଁ । ଏହା ସମ୍ପୂର୍ଣ୍ଣ ପରମ୍ପରା ବିରୋଧୀ, କିନ୍ତୁ ସେଥିରେ ରୋଷେଇ ଅଧିକ ସହଜ ହେଉଥିବାରୁ କେତେକ ସୁଆର ସେବକ ଏହି ପରମ୍ପରା ବିରୋଧୀ ବ୍ୟବସ୍ଥା  ଆପଣାଇଛନ୍ତି । ଏହାକୁ ନେଇ ସୁଆର ମହାସୁଆର ସେବକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । କରୋନା ମହାମାରୀ ସମୟରୁ ପ୍ରାୟ ପାଞ୍ଚ ବର୍ଷ ଧରି ଶ୍ରୀଜଗନ୍ନାଥ ମନ୍ଦିର ରୋଷଶାଳା ଏଭଳି ଅଘଟଣ ଚାଲିଥିବା ନିଯୋଗର ଜଣେ କର୍ମକର୍ତ୍ତା ଏ ବିଷୟରେ ସୂଚନା ଦେଇଛନ୍ତି । ଆବଶ୍ୟକତା ଅନୁଯାୟୀ ମାଟି ହାଣ୍ଡି ମିଳୁନଥିବା ଆଳକରି କେତେକ ସୁଆର ସେବକ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ କରିଥିବା ସେ କହିଛନ୍ତି । ଏଥିଯୋଗୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଗୁରୁବାର କେତେକ ସୁଆର ସେବକଙ୍କୁ ନୋଟିସ୍ ଜାରି କରାଯାଇଥିଲା ।

Get real time updates directly on you device, subscribe now.