fbpx

ପାଠପଢ଼ା ପାଇଁ ଏମିତି ଜିଦ୍ ଦେଖିନଥିବେ, ପସନ୍ଦର ବିଶ୍ୱବିଦ୍ୟାଳୟରେ ପ୍ରବେଶ ପାଇଁ ୧୬ ଥର ପରୀକ୍ଷା ଦେଇଛନ୍ତି

ଓଡ଼ିଶା ଭାସ୍କର: କଥାରେ ଅଛି ଜୀବନରେ କେବେ ବି ହାର ମାନିବା ଉଚିତ ନୁହେଁ । ପରିଶ୍ରମର ଫଳ କେବେ ବୃଥା ଯାଏନି ଏବଂ ଜୀବନରେ ସଫଳତା ନିଶ୍ଚୟ ମିଳିଥାଏ । କିଛି ବ୍ୟକ୍ତି ଏମିତି ଜିଦି ସ୍ୱଭାବର ଥା’ନ୍ତି ଯେ ନିଜ ଲକ୍ଷ୍ୟ ସ୍ଥଳକୁ ହାସଲ କରିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରନ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଚୀନରେ । ଜଣେ ବ୍ୟକ୍ତି ନିଜ ପସନ୍ଦର ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ୧୬ ବର୍ଷ ପର୍ଯ୍ୟନ୍ତ ଗୋଟିଏ ପରୀକ୍ଷା ଦେଉଛନ୍ତି । ଏହି କଥା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ରୋଚକ ମଧ୍ୟ ।

ଚୀନର ତାଙ୍ଗ୍ ଶାଙ୍ଗଜୁନ୍ ନାମକ ଜଣେ ବ୍ୟକ୍ତି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବୟସ ୩୬ ବର୍ଷ । ନିଜ ଜିଦକୁ ପୁରା କରିବା ପାଇଁ ସେ ଦୀର୍ଘ ୧୬ ବର୍ଷ ହେଲା ପରୀକ୍ଷା ଦେଉଛନ୍ତି । ବାସ୍ତବରେ ୨୦୦୯ ମସିହାରୁ ତାଙ୍ଗ୍ ଶାଙ୍ଗଜୁନ୍ ଚୀନର ବିଶିଷ୍ଟ Tsinghua Universityରେ ପ୍ରବେଶ ପାଇଁ ସେ ପ୍ରବେଶିକ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ତାଙ୍କୁ ବହୁତ କମ୍ ନମ୍ବର ମିଳିବା ଯୋଗୁଁ ଆଡମିଶନ ହୋଇପାରିନଥିଲା । ବାରମ୍ବାର ଚେଷ୍ଟା କରିବା ପରେ ୨୦୧୬ରେ ତାଙ୍କ ସ୍କୋରରେ ସୁଧାର ଆସିଥିଲା । ଏହି ସ୍କୋରରେ ତାଙ୍କୁ ଯେକୌଣସି ଭଲ ବିଶ୍ୱବିଦ୍ୟାଳୟରେ ସହଜରେ ଆଡମିଶନ୍ ମିଳିପାରିଥାନ୍ତା । କିନ୍ତୁ ତାଙ୍କ ଜିଦ୍ ଆଗରେ ସବୁକିଛି ବ୍ୟର୍ଥ । କଠୋର ପରିଶ୍ରମ ପରେ ୨୦୧୯ରେ ସେ ଭଲ ନମ୍ବର ରଖିଥିଲେ ଏବଂ ତାଙ୍କୁ ଉକ୍ତ ବିଶ୍ୱବିଦ୍ୟାଳୟରେ ଆଡମିଶନ ମଧ୍ୟ ମିଳିଥାନ୍ତା କିନ୍ତୁ ପସନ୍ଦର ବିଷୟ ପାଇଁ ତାଙ୍କ ମାର୍କ ଯଥେଷ୍ଟ ନଥିଲା । ତେଣୁ ପଢ଼ିବା ସ୍ୱପ୍ନ ଅଧା ରହିଗଲା । କଲେଜରେ ପାଠ ପଢ଼ିବା ବୟସ ପାର ହୋଇଗଲାଣି, ସ୍ମରଣ ଶକ୍ତି ମଧ୍ୟ ଧିରେ ଧିରେ ହ୍ରାସ ହେବା ସହ ମାତା ପିତା ମଧ୍ୟ ବୃଦ୍ଧ ହୋଇଗଲେଣି ତଥାପି ସେ ତାଙ୍କ ଜିଦରେ ଅଟଳ ଅଛନ୍ତି । ତାଙ୍କର ଏପରି ଜିଦ୍ ଓ ଧୈର୍ଯ୍ୟକୁ ଦେଖି ଚୀନରେ ସେ ଜିଦ୍ଦିଆ ବ୍ୟକ୍ତି ଭାବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

Get real time updates directly on you device, subscribe now.