ବହି ପଢ଼ିପାରିଲେ ନାହିଁ ଛାତ୍ରୀ, ରାଗିଗଲେ ବିଧାୟକ…ଶିକ୍ଷକଙ୍କ ମାସେ ଦରମା ବନ୍ଦ ନିର୍ଦ୍ଦେଶ

କୋରାପୁଟ: ସ୍କୁଲରେ ପାଠପଢ଼ା ନାଁରେ କଣ ଚାଲିଛି? ଛାତ୍ରୀମାନେ ପ୍ରଶ୍ନର ଉତ୍ତର ନଦେଇ ପାରିବାରୁ ରାଗିଯାଇଥିଲେ ବିଧାୟକ ।

ଛାତ୍ରୀଙ୍କ ପାଠପଢ଼ାକୁ ନେଇ ଶିକ୍ଷୟତ୍ରୀଙ୍କୁ ତାଗିଦ କରିବା ସହ ମାସେ ପାଇଁ ଦରମା ବନ୍ଦ ନେଇ ନିର୍ଦ୍ଦେଶ ଦେଇଥିଲେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ବୈପାରିଗୁଡ଼ା ସ୍ଥିତ ସରକାରୀ ବାଳିକ ଉଚ୍ଚ ବିଦ୍ୟାଳୟ ଗୁମ୍ମାରେ ।

ଜାଣନ୍ତୁ ମାମଲା: ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ରାଜ୍ୟସରକାର ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ମାଗଣା ସୁବିଧା ପ୍ରଦାନ କରିବା ସହ ଆଶ୍ରମ ବିଦ୍ୟାଳୟଗୁଡିକରେ ବହୁ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ମାଲକାନଗିରିରୁ ଫେରିବା ସମୟରେ ବିଧାନସଭା ଷ୍ଟାଣ୍ଡିଂ କମିଟି ହଠାତ୍ ବୈପାରିଗୁଡା ସ୍ଥିତ ସରକାରୀ ବାଳିକ ଉଚ୍ଚ ବିଦ୍ୟାଳୟ ଗୁମ୍ମା(ଆଶ୍ରମ ବିଦ୍ୟାଳୟ)କୁ ହଠାତ୍ ଗସ୍ତ କରିଥିଲେ । ସେଠାରେ ଛାତ୍ରୀମାନଙ୍କୁ ଶ୍ରେଣୀଗୃହରେ ପାଠପଢାଇବା ସହିତ ଇଂରାଜୀ ଓ ହିନ୍ଦୀ ବହି ପଢିବା ପାଇଁ କହିଥିଲେ ବିଧାୟକ ।

ରାଗିଗଲେ ବିଧାୟକ: ଛାତ୍ରୀମାନେ ବହି ନ ପଢିପାରିବାରୁ ବିଧାୟକ ରାଗିଯାଇଥିଲେ । ସେଠରେ ଉପସ୍ଥିତ ଶିକ୍ଷୟିତ୍ରୀଙ୍କୁ ତାଗିଦ୍ କରିବା ସହ ମାସେ ଦରମା ବନ୍ଦ ପାଇଁ ଊଡଙଙ୍କୁ ନିର୍ଦ୍ଦେଶ ଦେବା ସହ କାରଣ ଦର୍ଶାଅ ନେଟିସ୍ ମାଗିଥିବା ଜଣାପଡ଼ିଛି ।

ଦୁଇ ମାସ ପରେ ପୁଣିଥରେ ଏହି ଆଶ୍ରମ ବିଦ୍ୟାଳୟକୁ ଗସ୍ତ କରି ଛାତ୍ରୀମାନଙ୍କ ଠାରୁ ବହି ପଢିବା ଶୁଣିବେ ବୋଲି କହିଥିଲେ ବିଧାୟକ ।

ଯୋଜନା ସମୀକ୍ଷା: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅନ୍ତର୍ଗତ ଥିବା ବିଦ୍ୟାଳୟଗୁଡିକରେ ଖାଦ୍ୟର ମାନ ବୃଦ୍ଧି, ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବା ସହ ସବୁ ଛାତ୍ରୀ ନିବାସରେ ସିସି କ୍ୟାମେରା ଲଗାଇବାକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷୟିତ୍ରୀମାନଙ୍କୁ ଭଲଭାବରେ ଶିକ୍ଷାଦାନ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗସ୍ତ ସମୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୂପ ଭତ୍ରା, ଅନ୍ୟ କେତେ ଜଣ ବିଧାୟକଙ୍କ ସହ ସେହି ବିଭାଗର ଅଧିକାରୀମାନଙ୍କ ସହିତ ବିଭିନ୍ନ ବିଷୟକୁ ନେଇ ଯୋଜନା ଗୁଡିକର ସମୀକ୍ଷା କରିଥିଲେ ।