ବରଫ ତରଳାଇ ପିଉଛନ୍ତି ପାଣି, ସୁମୀରେ ଫସିଥିବା ଭାରତୀୟ ଛାତ୍ରୀ ବଖାଣିଲେ ଯୁଦ୍ଧର ମାହୋଲ

ନୂଆଦିଲ୍ଲୀ: ଦଶମ ଦିନରେ ପହଞ୍ଚିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ । ୟୁକ୍ରେନରେ ଚାରିଆଡ଼େ ଯୁଦ୍ଧ ବିଭୀଷିକା । ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାଡ଼ୁଛନ୍ତି ପ୍ରବାସୀ । ଭାରତ ସରକାର ଋଷରେ ଫସିଥିବା ଭାରତୀୟ ନାଗରିକ ଏବଂ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ଏହାରି ମଧ୍ୟରେ ୟୁକ୍ରେନର ଉତ୍ତରପୂର୍ବ ସହର ସୁମୀରେ ଫସିଥିବା କିଛି ଭାରତୀୟ ଛାତ୍ର ବରଫକୁ ତରଳାଇ ପାଣିର ବ୍ୟବସ୍ଥା କରୁଥବା ନଜର ଆସିଛନ୍ତି । ଏହା ସହ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ସହରରେ ୭୦୦ ରୁ ୮୦୦ ଛାତ୍ର ଫସିଛନ୍ତି । ସୁମିରେ ଟେନ୍, ବସ୍ ଅଚଳ ହୋଇଛି । ସଡ଼କ, ପୋଲ ଧ୍ୱଂସ ହୋଇଛି । ଏକ ବଡ଼ ଧମାକା ପରେ ସହରରେ ପାଣି ଏବଂ ବିଜୁଳି ବ୍ୟବସ୍ଥା ଠପ୍ ହୋଇପଡ଼ିଛି ।

ଫଳରେ ସେଠାରେ ଥିବା ଭାରତୀୟ ଛାତ୍ରମାନେ ଅସୁବିଧାରେ ଫସିଛନ୍ତି । ଏବଂ ଏଭଳି ସ୍ଥିତିରେ ପାଣି ପାଇଁ ବରଫ ତରଳାଇ ପିଉଥିବା କଥା କହିଛନ୍ତି ସୁମିରେ ଫସିଥିବା କେରଳର ଜଣେ ଡାକ୍ତରୀ ଛାତ୍ରୀ । ସେ ଆହୁରି କହିଛନ୍ତି ଯେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ଆମେ ମାନେ ଫୋନର ବ୍ୟବହାର କରିପାରୁନାହୁଁ । ଯୋଗଯୋଗ କେତେବେଳେ ବି ବିଚ୍ଛିନ୍ନ ହୋଇଯାଇପାରେ । ସେ କହିଛନ୍ତି ସୁମୀ ଷ୍ଟେଟ୍ସ ୟୁନିଭର୍ସିଟିର କୌଣସି ଛାତ୍ରଙ୍କୁ ଉଦ୍ଧାର କରାଯାଇନାହିଁ । ସେ କହିଛନ୍ତି ଯେ ଭାରତୀୟ ଦୂତାବାସ କିମ୍ବା ୟୁକ୍ରେନ ସରକାରଙ୍କ ତରଫରୁ ଯାତ୍ର କରିବା ପାଇଁ ଅନୁମତି ମିଳିନାହିଁ । ଅନୁମତି ବିନା ଯାତ୍ରା କରିବା ଦ୍ୱାର କିଛି ବି ହେଲେ ତାହାର ଉତ୍ତରଦାୟୀ କେହି ହେବେ ନାହିଁ । ସେ କହିଛନ୍ତି ବର୍ତ୍ତମାନ ସେମାନେ ଯାତ୍ରା ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି ।