fbpx

ନିଶା ସେବନ କରି ଧରାପଡ଼ିଲେ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯିବ: ରାଜ୍ୟ ସରକାରଙ୍କ କଠୋର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବେଆଇନ୍ ନିଶା କାରବାର ବଢ଼ିବାରେ ଲାଗିଛି । ତେଣୁ ନିଶାଦ୍ରବ୍ୟ କାରବାର ଓ ଚୋରା ଚାଲାଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ନିଶା ଦ୍ରବ୍ୟ ସମସ୍ତଙ୍କର ମାନସିକତା ଉପରେ କୁପ୍ରଭାବ ପକାଉଥିବାରୁ ଏହାର କ୍ରୟ, ବିକ୍ରୟ ଉପରେ ଆଇନ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଥିଲା ।

ଏହି ବୈଠକରେ ରାଜ୍ୟ ପୋଲିସ ପ୍ରଶାସନ, ଗୃହ ବିଭାଗ, ଅବକାରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜିକାଲି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ନିଶା କବଳରେ ପଡ଼ୁଥିବା ଦେଖାଯାଉଛି । ତେଣୁ କଲେଜରେ ପଢ଼ୁଥିବା ପିଲାମାନେ ନିଶା ସେବନ କରି ଧରାପଡ଼ିଲେ ସେମାନଙ୍କ ବିରୋଧରେ ମାମଲା ଦାୟର କରାଯିବ । ଏଥିସହିତ ସେମାନଙ୍କୁ ବହିଷ୍କାର ପାଇଁ ପଦକ୍ଷେପ ନିଆଯିବ । ସ୍କୁଲ ଓ କଲେଜ ସ୍ତରରେ ନିଶା ଦ୍ରବ୍ୟ ବ୍ୟବହାର ନ କରିବା ନେଇ ପାଠ୍ୟକ୍ରମର ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।

ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ରାଜ୍ୟର ବଲାଙ୍ଗିର, ସମ୍ବଲପୁର ଓ ବରଗଡ଼ ଆଦି ଜିଲ୍ଲାକୁ ନିଶା ଦ୍ରବ୍ୟ ଆସିଥାଏ । ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ରେକର୍ଡ ମାତ୍ରାରେ ଗଞ୍ଜେଇ ଚାଷ ନଷ୍ଟ କରାଯିବା ସହ ଆନ୍ତଃରାଜ୍ୟ ସ୍ତରରେ ନିଶା ଔଷଧ କାରବାର କରୁଥିବା ନେଇ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି । ୨୦୧୮ରେ ମୋଟ ୬୦୧ଟି ମାମଲା ପଞ୍ଜିତ ହେବା ସହ ୭୭୪ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପର ଚଳିତ ଏପ୍ରିଲ ମାସ ଶେଷ ସୁଦ୍ଧା ୧୧୨୫ଟି ମାମଲା ପଞ୍ଜିକୃତ କରାଯାଇ ୧୪୦୫ ଜଣଙ୍କୁ ଗିରଫ କରାଯାଇଛି । ବ୍ରାଉନ ସୁଗର ମାମଲାରେ ୨୦୧୮ରେ ୫୫ ଜଣଙ୍କୁ ଓ ୨୦୨୩ରେ ୩୦୧ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.