fbpx

ବୈଜ୍ଞାନିକଙ୍କ ଭୟଙ୍କର ଚେତାବନୀ! ଆକାଶରେ ଦେଖା ଯିବେନି ତାରା, ମଣିଷ ପାଇଁ ବିପଦ ସାଜିବ ଆଲୋକ ପ୍ରଦୂଷଣ

ନୂଆଦିଲ୍ଲୀ: ମଣିଷ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ଏହାର ଭୟଙ୍କର କୁପ୍ରଭାବ ମଧ୍ୟ ରହିଛି । ଗୋଟିଏ ପଟେ ମଣିଷ ବିକାଶ ଲାଭ କରୁଥିବା ବେଳେ ଅନ୍ୟପଟେ ପ୍ରକୃତିକୁ ନଷ୍ଟ କରିଚାଲିଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଆଗାମୀ କିଛି ବର୍ଷ ମଧ୍ୟରେ ଆପଣମାନେ ଆଉ ଆକାଶରେ ଚିକମିକ୍ କରୁଥିବା ତାରାଙ୍କୁ ଦେଖିବାକୁ ପାଇବେନି ।

ବୈଜ୍ଞାନିକମାନେ ଏନେଇ ଚେତାବନୀ ଜାରି କରିଛନ୍ତି । ଆଲୋକ ପ୍ରଦୂଷଣର ଭୟଙ୍କର କୁପ୍ରଭାବ ଫଳରେ ଆଗାମୀ ୨୦ ବର୍ଷ ମଧ୍ୟରେ ଆକାଶରୁ ତାରାମାନେ ଅଦୃଶ୍ୟ ହେଇଯିବେ । ବ୍ରିଟେନର ଜ୍ୟୋତିର୍ବିଜ୍ଞାନ ମାର୍ଟିନ ରିଜ୍ ଏହି ସୂଚନା ଦେଇଛନ୍ତି । ବିଶ୍ୱର ପାଖାପାଖି ଏକତୃତୀୟାଂଶ ଲୋକଙ୍କ ପାଖରେ ଆକାଶଗଙ୍ଗାକୁ ଦେଖିବାର କ୍ଷମତା ନଥିବା ଗତ ୨୦୧୬ରେ ଏକ ରିପୋର୍ଟରେ କୁହାଯାଇଥିଲା । ଏଲଇଡି ଓ ଅନ୍ୟ କୃତ୍ରିମ ଲାଇଟ କାରଣରୁ ରାତି ସମୟରେ ଆକାଶ ଅଧିକ ଚମକିବାରେ ଲାଗିଛି ।

ତେବେ ଆଲୋକ ପ୍ରଦୂଷଣ ବଢ଼ିବା କାରଣରୁ ଆଗାମୀ ଦିନରେ ତାରାଙ୍କୁ ଆଉ ଦେଖିବା ସମ୍ଭବପର ହେବ ନାହିଁ । ଯଦି ଏପରି କିଛି ଘଟେ ପରବର୍ତ୍ତୀ ପୀଢ଼ି ହୁଏତ ରାତିରେ ଆଉ ତାରାଙ୍କୁ ଦେଖିବାକୁ ପାଇବେ ନାହିଁ । ଏବେ ଯଦି ୨୫୦ଟି ତାରା ଦୃଶ୍ୟମାନ ହେଉଛି ତେବେ ଏହି ସମୟରେ ଜନ୍ମ ନେଇଥିବା ପିଲାଟି ୧୮ ବର୍ଷରେ ପହଞ୍ଚିବା ବେଳକୁ ମାତ୍ର ୧୦ଟି ତାରାଙ୍କୁ ଦେଖିବାକୁ ପାଇବ ବୋଲି ମାର୍ଟିନ କହିଛନ୍ତି । କିଛି ବର୍ଷ ପୂର୍ବରୁ ଆକାଶର ତାରାଙ୍କୁ ସ୍ପଷ୍ଟ ଭାବେ ଦେଖିବା ସମ୍ଭବ ହେଉଥିବା ବେଳେ ଏବେ ସେହି ଦୃଶ୍ୟ ଦୁର୍ଲ୍ଲଭ ହୋଇ ପଡ଼ିଛି ।

Get real time updates directly on you device, subscribe now.