fbpx

ଆଗେଇ ଚାଲିଛି ଭାରତର ସୂର୍ଯ୍ୟ ମିଶନ; ସଫଳ ହେଲା ‘ଆଦିତ୍ୟ-L1’ର ପ୍ରଥମ କକ୍ଷ ପରିବର୍ତ୍ତନ

ଓଡିଶା ଭାସ୍କର; ମହାକାଶରେ ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ  L1ର ପ୍ରଥମ ଅର୍ବିଟ୍ ରେଜିଂ ହୋଇଛି । ଗତକାଲି ସଫଳତାର ସହ ଉତକ୍ଷେପଣ ହେବା ପରେ, ଆଜି ଦିନ ୧୧ଟା ୪୫ରେ ଏହା ପ୍ରଥମ ଥର ପାଇଁ କକ୍ଷପଥ ପରିବର୍ତ୍ତନ କରିଛି ।

‘ଆଦିତ୍ୟ-L1’କୁ ନୂତନ କକ୍ଷପଥକୁ ନେବା ପାଇଁ ଆଜି କରାଯାଇଥିବା ପ୍ରଥମ ‘ଆର୍ଥ-ବାଉଣ୍ଡ୍‌ ଫାଇରିଙ୍ଗ୍‌’ ସଫଳ ହୋଇଥିବା ସୂଚନା ଦେଇଛି ‘ଇସ୍ରୋ’। ଦେଶର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-L1’ ଭଲ ଅଛି ଏବଂ ସ୍ୱାଭାବିକ ଭାବେ କାର୍ୟ୍ୟ କରୁଥିବା ପରି ମନେହେଉଛି ବୋଲି ଇସ୍ରୋ କହିଛି । ବେଙ୍ଗାଲୁରୁସ୍ଥିତ ‘ଆଇଏସ୍‌ଟିଆର୍‌ଏସି’ରେ କରାଯାଇଥିବା ପ୍ରଥମ ‘ଆର୍ଥ-ବାଉଣ୍ଡ୍‌ ମାନୁଭର୍‌’ (ଇବିଏନ୍‌#୧) ସଫଳ ହୋଇଛି । ନୂଆ କକ୍ଷପଥର ଆକାର ହେଉଛି ୨୪୫ କିଲୋମିଟର୍‌ x ୨୨୪୫୯ କିଲୋମିଟର୍‌ । ‘ଏକ୍ସ୍‌’ ମାଧ୍ୟମରେ ଏଭଳି କିଛି ସୂଚନା ପ୍ରକଶ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ।

ମୋଟ ୧୬ଦିନ ଭିତରେ ପୃଥିବୀ ଚାରିପଟେ ୫ ଥର ବୁଲି ନିଜ କକ୍ଷପଥକୁ ପ୍ରସାରିତ କରିବା ପରେ, ନିଜ ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇଯିବ ଆଦିତ୍ୟ L1 । ଏହାର ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ (ଇବିଏନ୍‌#୨) ସେପ୍ଟେମ୍ବର ୫ ତାରିଖ ଅପରାହ୍ଣ ୩ଟାରେ କରାଯିବା ନେଇ ସୂଚନା ଦେଇଛି ଇସ୍ରୋ ।

ସୂଚନା ଥାଉକି, ଗତକାଲି ଦିନ ୧୧ଟା ୫୦ରେ ଶ୍ରୀହରିକୋଟ୍ଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ PSLV-C57  ରକେଟ୍ ସହାୟତାରେ ଆଦିତ୍ୟ-L1ର ସଫଳ ଉତକ୍ଷେପଣ ହୋଇଥିଲା । ଲଞ୍ଚିଂ ଠାରୁ ୧୨୫ ଦିନ ପରେ, ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜ୍ ପଏଣ୍ଟ ବା L1ରେ ପହଞ୍ଚିବ । ସେଠାରେ ଏକ ହାଲୋ ଅର୍ବିଟରେ ବୁଲି ୫ ବର୍ଷ ଯାଏଁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ସଂପର୍କିତ ତଥ୍ୟ ସଂଗ୍ରହ କରିବ । ତଥ୍ୟ ସଂଗ୍ରହ ପାଇଁ ଏଥିରେ ୭ଟି ପେ’ଲୋଡ୍ ବା ଯନ୍ତ୍ରା ଖଞ୍ଜାଯାଇଛି ।

 

Get real time updates directly on you device, subscribe now.