ଓଡିଶା ଭାସ୍କର: ଆସନ୍ତା କାଲି ଧନତେରସ । ଏହି ପବିତ୍ର ଦିନ ପାଇଁ କିଏ କେତେ ପ୍ରକାରର ପ୍ରସ୍ତୁତି କରିଛନ୍ତି । ତେବେ ଚଳିତ ବର୍ଷ ୧୦୦ ବର୍ଷ ପରେ ପଡୁଛି ମହାଯୋଗ । ତେଣୁ ଚଳିତ ଧନତେରସ ଅନ୍ୟ ବର୍ଷ ତୁଳନାରେ ଅଧିକ ମହତ୍ୱ ବହନ କରୁଛି । ତେଣୁ ଏହି ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ଏହାର ଭରପୁର ଫାଇଦା ଉଠାଇ ଜୀବନକୁ ସରସ, ସୁନ୍ଦର କରି ଗଢି ତୋଳନ୍ତୁ ।
ଚଳିତ ବର୍ଷରେ ଧନତେରସ ଦିନ ତ୍ରିଗ୍ରହୀ ଯୋଗ, ତ୍ରିପୁଷ୍କର ଯୋଗ, ଇନ୍ଦ୍ର ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ, ଶଶ ମହାପୁରୁଷ ଯୋଗ, ଧାତା ଯୋଗ ସହ ମୋଟ ସାତ ପ୍ରକାରର ଶୁଭ ଯୋଗର ସଂଯୋଗ ରହିଛି । ଏହି ଦିନରେ ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି, କଉଡି, ପଦ୍ମଗଣ୍ଠି, ଧନିଆ, ହଳଦୀ ଗୋଟା, ମାଟି ପାତ୍ର, ସୁନା, ରୂପା, ପିତଳ, ତମ୍ବା, କଂସା, ଷ୍ଟିଲ ଓ ଅଷ୍ଟଧାତୁର ବାସନ, ବସ୍ତ୍ର, ସାଜସଜ୍ଜା ସାମଗ୍ରୀ, ଘର, ବାହନ ଆଦି କିଣିବା ଶୁଭଙ୍କର ହୋଇଥାଏ ।
ଧନତେରସରେ ପଡୁଥିବା ଏହି ଶୁଭ ଯୋଗରେ ପୂଜା ସ୍ଥଳରେ ସଂଧ୍ୟାରେ କୁବେର, ମାତା ଲକ୍ଷ୍ମୀଙ୍କ ଫଟୋ ବା ମୂର୍ତ୍ତି ସ୍ଥାପନ କରନ୍ତୁ । ଏହା ପରେ ଧନ୍ୱନ୍ତରୀ, ଲକ୍ଷ୍ମୀ ଓ କୁବେର ଦେବଙ୍କ ସମ୍ମୁଖରେ ଘିଅ ଦୀପ ପ୍ରଜ୍ଜଳନ କରି ପୂଜା ଆରତି କରନ୍ତୁ । ଦୀପ ଜଳାଇବା ପରେ ଠାକୁରଙ୍କୁ ଫୁଲ, ଫଳ ଅର୍ପଣ କରନ୍ତୁ । ଏହା ପରେ କୁବେର ଓ ଲକ୍ଷ୍ମୀଙ୍କୁ ସେମାନଙ୍କ ପ୍ରିୟ ଭୋଗ ଲାଗି କରି ପରିବାରର ସମସ୍ତଙ୍କୁ ଭୋଗ ବାଣ୍ଟି ଦିଅନ୍ତୁ ।