fbpx

ଚତୁର୍ଥ ଟେଷ୍ଟରେ ଅଚାନକ ବଦଳିଲେ ଅଧିନାୟକ! ରୋହିତଙ୍କ ସ୍ଥାନରେ ପୂଜାରାଙ୍କୁ ବଡ ଦାୟିତ୍ୱ

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ରଚିଛି ଏକ ନୂଆ ଇତିହାସ । ମ୍ୟାଚରେ ଉଭୟ ଦଳର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଏହାକୁ ଆହୁରି ରୋମାଞ୍ଚକର କରି ଦେଇଛି । ଏହାପରେ ମ୍ୟାଚରେ ଆଉ ଏକ ନିଷ୍ପତ୍ତି ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମ୍ୟାଚର ଦ୍ୱିତୀୟ ଦିନରେ ବଦଳି ଯାଇଛନ୍ତି ଭାରତୀୟ ଦଳର ଅଧିନାୟକ । ରୋହିତ ଶର୍ମାଙ୍କ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କୁ ଦଳର ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିଥିଲା ।

ଅହମ୍ମଦାବାଦ ଟେଷ୍ଟର ଦ୍ୱିତୀୟ ଦିନରେ ପୂଜାରାଙ୍କୁ ଅଚାନକ ଭାବରେ ରୋହିତଙ୍କ ସ୍ଥାନରେ ଅଧିନାୟକ ପଦ ଦିଆଯାଇଥିଲା । ଯାହା ସମସ୍ତ ଦର୍ଶକଙ୍କୁ ଆଚମ୍ବିତ କରି ଦେଇଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଏମିତି ଏକ ନିଷ୍ପତ୍ତି କେହି ବୁଝି ପାରି ନଥିଲେ । ତେବେ ଏହି ନିଷ୍ପତ୍ତି ଫଳ ସ୍ୱରୂପ ଭାରତକୁ ଦେଇଥିଲା ଏକ ବଡ ୱିକେଟ । ପୂଜାରା ଅଧିନାୟକ ପଦ ନେବା ପରେ ଭାରତ ଅଷ୍ଟ୍ରେଲିଆର ଷ୍ଟାର ଓପନର ଉସ୍ମାନ ଖ୍ୱାଜାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲା । ୪୨୨ ବଲ ଖେଳି ସାରିଥିବା ବେଳେ ୨୧ଟି ଚୌକା ସହ ୧୮୦ ରନ ଖେଳି ଅପରାଜିତ ଥିଲେ ଖ୍ୱାଜା । କିନ୍ତୁ ପୂଜାରା ନେତୃତ୍ୱ ନେବାର କିଛି ସମୟ ମଧ୍ୟ ରେ ତାଙ୍କ ଚାଲ୍ ରେ ସେ ଫସି ଯାଇଥିଲେ । ଅକ୍ସର ପଟେଲଙ୍କ ବଲରେ ସଟ୍ କେଳିବା ପାଇଁ ଚେଷ୍ଟା କରିବା ବେଳେ ତାଙ୍କ ପ୍ୟାଡରେ ବଲ ବାଜିଥିଲା । ଅପିଲ ପରେ କିନ୍ତୁ ଅମ୍ପାୟାର ଆଉଟ ନ ଦେବାରୁ ପୂଜାରା ଏହାକୁ ରିଭ୍ୟୁ ନେଇଥିଲେ । ପରେ ଏହା ଥାର୍ଡ ଅମ୍ପାୟାରଙ୍କ ଦ୍ୱାରା ଆଉଟ ଘୋଷଣା କରାଯାଇଛି । ନିଜ ୱିକେଟ ହରାଇ ସେ ପାଭିଲିୟନ ଫେରି ଆସିଥିଲେ । ଏହି ୱିକେଟ ପରେ ହିଁ ଭାରତ ମ୍ୟାଚରେ ପୁଣିଥରେ କମବ୍ୟାକ କରିପାରିଥିଲା ।

ତେବେ ମ୍ୟାଚର ଦ୍ୱିତୀୟ ଦିନ ଅନ୍ତିମ ସେସନରେ ଭାରତ ମଇଦାନକୁ ଓହ୍ଲାଇବା ବେଳେ ଦଳ ସହିତ ଅଧିନାୟକ ରୋହିତଙ୍କୁ ଦେଖିବାକୁ ମିଳିନଥିଲା । ତାଙ୍କ ସ୍ଥାନରେ ଅଧିନାୟକ ପଦରେ ପାଦ ଥାପିଥିଲେ ଭାରତର ଅଭିଜ୍ଞ ଟେଷ୍ଟ ଖେଳାଳି ଚେତେଶ୍ୱର ପୂଜାରା । ଏହାପରେ ସେ ଭାରତକୁ ଏହି ମ୍ୟାଚରେ କମବ୍ୟାକ କରାଇଥିଲେ । ତେବେ ଏହି ମ୍ୟାଚରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ କରିଥିବା ବେଳେ ଭାରତ ୩୬ ରନ କରିଛି । ଅଧିନାୟକ ରୋହିତ ଶର୍ମା ୧୭ ଏବଂ ଶୁଭମନ ଗିଲ ୧୮ ରନ କରି ଅପରାଜିତ ରହିଛନ୍ତି । ଭାରତ ପକ୍ଷରୁ ଅଶ୍ୱୀନ ପ୍ରଥମ ଇନିଂସରେ ୬ଟି ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.